ହାଟଡିହୀ,୧୯ା୩(ଶୁଭକାନ୍ତ ନାୟକ):ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ପରିବହନ ସମବାୟ ସମିତିର ବହୁ କୋଟି ଟଙ୍କା ଆର୍ଥିକ ଅନିୟମିତତା ଘଟଣାରେ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଗିରଫ ହୋଇଛନ୍ତି। ସେ ଗିରଫ ହେବା ପରେ ଘସିପୁରା ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ପୂର୍ବତନ ବିଜେଡି ବିଧାୟକ ଭାଗୀରଥି ସେଠୀ, ଆନନ୍ଦପୁର ସିଭିଲ ସୋସାଇଟି ସମ୍ପାଦକ ଭଗବାନ ମଲିକ ଏବଂ ଅନ୍ୟମାନେ ମୁହଁ ଖୋଲିଛନ୍ତି l କେନ୍ଦୁଝର ଜିଲାର ପୂର୍ବତନ ଏସ୍ପି ମିତ୍ରଭାନୁ ମହାପାତ୍ର, ଜିଲାପାଳ ଆଶିଷ ଠାକ୍ରେ, ଡିଆର୍ସିଏସ୍ ଶୁଭ୍ରକାନ୍ତି ତୁଙ୍ଗ, ଆଶିଷ ସିଂ, ବବି ଦାସ, ଡିଏସ୍ କୁଟ୍ଟେ ପ୍ରମୁଖଙ୍କ ସମ୍ପୃକ୍ତିକୁ ନେଇ ଅସନ୍ତୋଷ ପ୍ରକାଶକରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କିନ୍ତୁ ଗତ ସୋମବାର ଘସିପୁରା ବିଧାନସଭା କ୍ଷେତ୍ରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ଏବେକାର ଭାଜପା ନେତା ପୃଥ୍ବୀରାଜ କୁଅଁରଙ୍କ ଅଭିଯୋଗ ପରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। କୁଅଁର କହିଛନ୍ତି, ଉକ୍ତ ଘଟଣାରେ ରାଜା ଚକ୍ରଙ୍କ ସହ ବିଧାୟକ ବଦ୍ରି ଅଛନ୍ତି। ତଦନ୍ତକାରୀ ସଂସ୍ଥା ଖୋଳତାଡ଼ କଲେ ସବୁ କଥା ଧରାପଡ଼ିବ। ତେବେ ଏନେଇ ବିଧାୟକ ବଦ୍ରି କହିଛନ୍ତି, ରାଜା ଚକ୍ର ଗିରଫ ହେବାର କିଛି ଦିନ ଦିନ ବିତିଗଲା। କିନ୍ତୁ ପୃଥ୍ବୀରାଜ ଏତେଦିନ କେଉଁଠି ଶୋଇଥିଲେ। ଯେତେବେଳେ ଜିଲାର ତତ୍କାଳୀନ ଏସ୍ପି ଏବଂ ଜିଲାପାଳଙ୍କ ସମ୍ପୃକ୍ତିକୁ ନେଇ ମତ ଦେଲି, ତା’ପରେ ପୃଥ୍ବୀରାଜ ମୋ ବିରୋଧରେ ସ୍ବର ଉତ୍ତୋଳନ କରୁଛନ୍ତି। ତେବେ ଏଥିରୁ ସ୍ପଷ୍ଟ ହୋଇଛି ଯେ, ପୃଥ୍ବୀରାଜ ଅନ୍ୟ ପ୍ରରୋଚନାରେ ପ୍ରଭାବିତ ହୋଇ ଲୋକଙ୍କ ନଜରରୁ ଘଟଣାକୁ ହଟାଇ ତତ୍କାଳୀନ ଏସ୍ପି ଏବଂ ଜିଲାପାଳଙ୍କ ସମର୍ଥନରେ ଅଣ୍ଟା ଭିଡ଼ିଛନ୍ତି। ଆନନ୍ଦପୁର ସିଭିଲ ସୋସାଇଟି ସମ୍ପାଦକ ଭଗବାନ ମଲିକ କହିଛନ୍ତି, ପୃଥ୍ବୀରାଜ ଘସିପୁରା ବିଧାନସଭା କ୍ଷେତ୍ରରେ ବଦ୍ରିଙ୍କ ରାଜନୈତିକ ପ୍ରତିଦ୍ବନ୍ଦ୍ୱୀ l ସେ ପ୍ରାୟ କଥାରେ ବଦ୍ରିଙ୍କୁ ଟାର୍ଗେଟକରି ତାଙ୍କ ବିରୋଧରେ ଅଭିଯୋଗ ଆଣିବାର ଅନେକ ଉଦାହରଣ ପୂର୍ବରୁ ରହିଛି। ଏହା କିଛି ନୂଆ କଥା ନୁହେଁ। ତତ୍କାଳୀନ ଜିଲାପାଳ ଏବଂ ଏସ୍ପିଙ୍କୁ ବଦ୍ରି କାଠଗଡ଼ାରେ ଠିଆକରିବାକୁ ଉଦ୍ୟମ କରୁଥିବା ବେଳେ ପୃଥ୍ବୀରାଜଙ୍କ ଏପରି ବୟାନବାଜି ଗ୍ରହଣୀୟ ନୁହେଁ ବୋଲି ଭଗବାନ କହିଛନ୍ତି।
ଆନନ୍ଦପୁର ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ ପୂର୍ବ ବିଜେଡି ସରକାର ଏବଂ ପ୍ରଶାସନକୁ ଦୋଷ ଦେଇଛନ୍ତି। ସେ କହିଛନ୍ତି, ରାଜା ତତ୍କାଳୀନ ବିଜେଡି ସରକାର ଏବଂ ପ୍ରଶାସନର ସହାୟତାରେ ବହୁ କୋଟି ଟଙ୍କା ଦୁର୍ନୀତି କରିଛନ୍ତି। ଏଥିରେ ତତ୍କାଳୀନ ଜିଲା ଏସ୍ପି, ଜିଲାପାଳ, ଡିଆର୍ସିଏସ୍ ଏବଂ ବିଜେଡି ନେତାମାନେ ଦାୟୀ। ରାଧେ ରାଧେ, ଅଧେ ଅଧେ କରି କେନ୍ଦୁଝରକୁ ଲୁଟ୍ କରିଛନ୍ତି। ବିଧାୟକ ବଦ୍ରି ପ୍ରଥମେ ତତ୍କାଳୀନ ଜିଲା ଏସ୍ପି, ଜିଲାପାଳ ଏବଂ ଡିଆର୍ସିଏସ୍ଙ୍କ ସମ୍ପୃକ୍ତିକୁ ନେଇ ମତ ସାବ୍ୟସ୍ତ କରିଥିଲେ। ବିଜେଡି ସରକାର ସମୟରେ ବଦ୍ରିଙ୍କ ଉପରେ ଦଳୀୟ ଚାପ ଥାଇପାରେ କିମ୍ବା ଅନୁକୂଳ ପରିବେଶ ଏବଂ ପରିସ୍ଥିତି ବୋଧହୁଏ ନ ଥିଲା l ତେଣୁ ବଦ୍ରି ସେତେବେଳେ ଏହି ପ୍ରସଙ୍ଗ ଉଠାଇ ନ ଥିଲେ ବୋଲି ଆଲୋକ କହିଛନ୍ତି।