ଅନନ୍ୟ ପରମ୍ପରା ବଏଲ ଯାତ୍ରା

କୋଲାବିରା,୮ା୧୦ (ଡି.ଏନ.ଏ.): କୋଲାବିରାର ଅଧିଷ୍ଠାତ୍ରୀ ଦେବୀ ମା’ ଦକ୍ଷିଣକାଳୀଙ୍କ ପ୍ରସିଦ୍ଧ ବଏଲ ଯାତ୍ରା ଦଶମୀ ତିଥିରେ ସମ୍ପନ୍ନ ହୋଇଛି। କରୋନା ପାଇଁ ଦୁଇବର୍ଷ ଧରି ଯାତ୍ରା ବନ୍ଦ ରହିଥିଲା। ଏଥର ଦକ୍ଷିଣକାଳୀ ଦେବୀଙ୍କ ପ୍ରତୀକ ବାହନ ବରୁଆଙ୍କ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ଲାଗିଥିଲା। ପଞ୍ଚବାଦ୍ୟର ତାଳେତାଳେ ମା’ଙ୍କ ଶକ୍ତି ସମ୍ବଳିତ ବଏଲ ନଗର ପରିକ୍ରମା କରିଥିଲା। ମଙ୍ଗଳବାର ରାତିରେ ପାରମ୍ପରିକ ଗୁପ୍ତପୂଜା ହେବା ସହ କାଳିଶି ବାହାରିଥିଲା। ଦାୟିତ୍ୱରେ ଥିବା ପୂଜକ ଓ ସେବାୟତମାନେ ମା’ଙ୍କ ହାତଧରି ପରିକ୍ରମା ଆରମ୍ଭ କରିଥିଲେ। ହଜାର ସଂଖ୍ୟକ ଭକ୍ତ ଭାବବିହ୍ବଳ ହୋଇ ମା’ଙ୍କ ପ୍ରତ୍ୟକ୍ଷ ଦର୍ଶନ ଲଭିଥିଲେ। ବଳିପ୍ରଥା ବନ୍ଦ କରାଯିବା ନେଇ ପ୍ରସାଶନ ପକ୍ଷରୁ ସଚେତନତା ସୃଷ୍ଟି କରାଯାଉଥିଲେ ହେଁ ଏହି ପରମ୍ପରା ଏଥର ବି ଦେଖିବାକୁ ମିଳିଥିଲା। ଚଳିତ ବର୍ଷ ଦେବୀ ବାହନ ବରୁଆ ଭାବରେ ଯୋଗୀ ଯୋଗେନ୍ଦ୍ର ରାଏ ଦାୟିତ୍ୱ ସମ୍ପାଦନ କରିଥିଲେ। ଜମିଦାର ବଂଶଜ ରୁଦ୍ର ପ୍ରତାପ ସିଂହ ଓ ତାଙ୍କ ଧର୍ମପତ୍ନୀ ମୋହିନୀ ସିଂହ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ। ପୂଜକ ପ୍ରଦ୍ୟୁମ୍ନ ପୁରୋହିତ ଓ ବିଜୟ ପୂଜାଯଜ୍ଞାଦି କାର୍ଯ୍ୟ ଏବଂ ପ୍ରଫୁଲ୍ଲ ପାଣିଗ୍ରାହୀ ଚଣ୍ଡୀପାଠ କରିଥିଲେ। ଦେବୀଙ୍କ ସେବାୟତ ସ୍ମୃତିରଞ୍ଜନ ରାୟ, ସନ୍ତୋଷ ଦଲାଇ, ଦୟା ଭଞ୍ଜ, ହରେନ୍ଦ୍ର ନାଏକ, ଆଲୋକ ମହାପାତ୍ର, ଲଳିତ ସାହୁ ସହଯୋଗ କରିଥିଲେ। ଦଶହରା ରାତିରେ ରଣଜିତା ଶୋଭାଯାତ୍ରା ଅବସରରେ ରାଜବାଟୀରୁ ଢୋଲ, ନିଶାନ, ତାଶା ଓ ଅନ୍ୟାନ୍ୟ ବାଜା ସହ ଜମିଦାର, ଗୋଣ୍ଡବୀର ସମାଜର ପ୍ରତିନିଧି ତଥା ଗ୍ରାମବାସୀ ଷୋହଳ ଖଣ୍ଡା ସହିତ ପଟୁଆରରେ ବାହାରିଥିଲେ। ସେମାନେ ଆଖଡା ନାଚ, କୁସ୍ତି, ବାଡିଖେଳ ମାଧ୍ୟମରେ ଗ୍ରାମର ଅନ୍ୟ ମୁଣ୍ଡ କୁମ୍ବାରପଡାରେ ପହଞ୍ଚତ୍ ବିଜୟର ପ୍ରତୀକ ଟିହା (ନିଲକଣ୍ଠ) ପକ୍ଷୀ ଦେଖିବା ପରେ ରାଜ ଉଆସକୁ ଫେରିଥିଲେ। ଏହା ହେଉଛି ରଣଜିତା ପର୍ବ। ପରଦିନ ପୂର୍ବାହ୍ନରେ ମା’ଙ୍କ ଚାଚେରି ଖେଳ ସହିତ ମନ୍ଦିର ପ୍ରତ୍ୟାବର୍ତ୍ତନ ହୋଇଥିଲା ଏବଂ ମନ୍ତ୍ରତନ୍ତ୍ର ପରେ ଦେବୀବାହନ ବରୁଆଙ୍କ ଦେହରୁ ଦୈବୀଶକ୍ତି ଅପସାରିତ ହୋଇଥିଲା। ଏହାସହିତ ବଏଲଯାତ୍ରାର ପରିସମାପ୍ତି ଘଟିଥିଲା।

Share