Categories: ଜାତୀୟ

ବସ୍‌ରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ପାଇଲେ ଏହି ଯୁବତୀ, ଆଉ ତା’ ପରେ…

ଭୋପାଳ,୫ା୧୨: ମଧ୍ୟପ୍ରଦେଶର ବୈତୁଲର ଜଣେ ଯୁବତୀ ଏମିତି ମହାନ କାର୍ଯ୍ୟ କରିଛନ୍ତି, ଯାହାକୁ ନେଇ ବିଭିନ୍ନ ମହଲରୁ ତାଙ୍କ ପ୍ରଶଂସାର ସୁଅ ଛୁଟୁଛି। ଜଣେ ଯୁବତୀ ବସ୍‌ରେ ଯିବା ସମୟରେ ଏକ ଟଙ୍କା ଭର୍ତ୍ତି ବ୍ୟାଗ୍‌ ପାଇଥିଲେ। ମାତ୍ର ଏହାକୁ ସେ ଘରକୁ ନ ନେଇ ସିଧା ପୋଲିସ ଷ୍ଟେଶନ ଯାଇ ଫେରାଇଥିଲେ।

ବେରୁଲ ବଜାର ନିବାସୀ କୃଷକ ରାଜା ରମେଶ ସାହୁ ଭୋପାଳରେ କୋବି ବିକି ଘରକୁ ଫେରୁଥିଲେ। ସେ ଟଙ୍କା ଥିବା ଏକ ବ୍ୟାଗ୍‌କୁ ଭୁଲବଶତଃ ବସ୍‌ରେ ଛାଡ଼ି ଦେଇଥିଲେ। ଏହି ସମୟରେ ଉକ୍ତ ବସ୍‌ରେ ଯାତ୍ରା କରୁଥିବା ରୀତା ନାମକ ଜଣେ ଯୁବତୀ ବ୍ୟାଗ୍‌ଟିକୁ ପାଇଥିଲେ। ଏହା ଖୋଲିବାରୁ ଏଥିରେ ୧ ଲକ୍ଷ ୨୨ ହଜାର ଟଙ୍କା ଥିବା ଦେଖିବାକୁ ପାଇଥିଲେ। ତେଣୁ ରୀତା ଏହା କାହା ଟଙ୍କା କେମିତି ଫେରାଇବେ ଚିନ୍ତା କରି ସିଧା ଯାଇ ପୋଲିସ ଷ୍ଟେଶନରେ ପହଞ୍ଚିଥିଲେ। ସାଇଖେଡ଼ା ଥାନା ପୋଲିସ ଏହାର ତଦନ୍ତ କରି ବ୍ୟାଗ୍‌ଟି ରାଜା ସାହୁଙ୍କର ବୋଲି ଜାଣିବାକୁ ପାଇଥିଲା। ପୋଲିସ ସଙ୍ଗେ ସଙ୍ଗେ ରାଜାଙ୍କୁ ଥାନାକୁ ଡକାଇ ଏହି ଟଙ୍କା ବ୍ୟାଗ୍‌ ଫେରାଇଥିଲା। ରୀତାଙ୍କ ଏପରି ମହନୀୟତା ଦେଖି ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କରାଯାଉଛି।


ଥାନା ପ୍ରଭାରୀ ରତ୍ନାକର ହିଙ୍ଗ୍‌ଓ୍ବେଙ୍କ କହିବା ଅନୁଯାୟୀ, ରୀତା ଏପରି ଟଙ୍କା ଫେରାଇବା ପ୍ରଥମଥର ନୁହେଁ, ଏହା ପୂର୍ବରୁ ରୀତା ବାପାଙ୍କ ଆକାଉଣ୍ଟଙ୍କୁ ଭୁଲରେ ୪୨ ହଜାର ଟଙ୍କା ଆସିଥିଲା। ସେ ମଧ୍ୟ ଏହାକୁ ଫେରାଇ ଦେଇଥିଲେ। ରୀତାଙ୍କୁ ପୁରସ୍କୃତ ମଧ୍ୟ କରାଯାଇଛି।

Share