ପାଣି ଘେରରେ ବାଗଡ଼ିଆ ଉଚ୍ଚ ବିଦ୍ୟାଳୟ

ଛେଣ୍ଡିପଦା,୨୧।୮(ସ୍ବ.ପ୍ର.): ଛେଣ୍ଡିପଦା ବ୍ଲକରେ ଗତ ୨ ଦିନ ମଧ୍ୟରେ ୧୩୩.୧ ମିଲିମିଟର ବର୍ଷା ହେବା ଯୋଗୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି। ଏପରି କି ବାଗଡିଆ ଉଚ୍ଚ ବିଦ୍ୟାଳୟ ୩ ଫୁଟ ପାଣି ଘେରରେ ରହିଛି। ରୋଷେଇ ଘର ଓ ବିଦ୍ୟାଳୟ ଭିତରେ ପାଣି ପଶି ଯିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ଏହି ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୪ ଶହରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବାରୁ ଯାତାୟାତ ଓ ପାଠପଢ଼ାରେ ସମସ୍ୟା ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେହିପରି ୧୫ରୁ ଊଦ୍ଧର୍‌ବ ଦୋକାନ ପାଣି ଘେରରେ ଥିବାରୁ ସେସବୁ ବନ୍ଦ ରହିଛି। ପାଣି ନିଷ୍କାସନ ପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ ଦୃଷ୍ଟି ଦିଆଯିବାକୁ ଦାବି ହୋଇଛି। ଖବରପାଇ ଛେଣ୍ଡିପଦା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଏସ. ଲଲାଟେନ୍ଦୁ ନୈବେଦ୍ୟ ବିଦ୍ୟାଳୟକୁ ଆସି ସ୍ଥିତି ଅନୁଧ୍ୟାନ କରିବା ସହିତ ତୁରନ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପାଣି ନିଷ୍କାସନ ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି। ବାଗଡିଆ ଗ୍ରାମବାସୀଙ୍କ ପକ୍ଷରୁ ଡ୍ରେନର ପୁନରୁଦ୍ଧାର କରାଯାଇ ବର୍ଷାଜଳ ନିଷ୍କାସନ ପାଇଁ ଉଦ୍ୟମ କରାଯାଇଛି। ଶିମିଳିପାଳ ପଞ୍ଚାୟତର ସାପୋଇନାଳି ଗ୍ରାମର ନେଙ୍କୁରୀ ବେହେରାଙ୍କ ଘର ଭିତରେ ପାଣି ପଶିଯାଇଛି। ପଞ୍ଚାୟତର ଶିମିଳିପାଳ, କାଠପାଳ, ସାପୋଇନାଳି, ଚରାକାନି ଆଦି ଗ୍ରାମରେ ପ୍ରାୟ ୭୦ରୁ ଊଦ୍ଧର୍‌ବ ଚାଳ ଛପର ଘର ଭାଙ୍ଗି ଯାଇଛି। ସରପଞ୍ଚ ଗିରିଶ ଚନ୍ଦ୍ର ପ୍ରଧାନ ଗ୍ରାମକୁ ଯାଇ ଉକ୍ତ ହିତାଧିକାରୀମାନଙ୍କୁ ଜରି ପାଲ ଯୋଗାଇ ଦେବା ନିମନ୍ତେ ରାଜସ୍ବ ନିରୀକ୍ଷକଙ୍କ ନିକଟରେ ଦାବି କରିଛନ୍ତି। ସେହିପରି ଟାଙ୍ଗିର ପଞ୍ଚାୟତ ବାରମଞ୍ଚା ଗ୍ରାମର ବିଳାସ ବେହେରା, ମିଲୁ ମାଝି, ନୂଆପଡା ଗ୍ରାମର ତୀର୍ଥବାସୀ ଭୋଇ, ଧନେଶ୍ବର ମହାପାତ୍ର, ଟାଙ୍ଗିର ଗ୍ରାମର ପଳଉ ସେଠୀ, ପଞ୍ଚାନନ ସାହୁ, ରମେଶ ବାରିକ, ପୁରୁଣାଗଡ ଗ୍ରାମର କୁମର ସାହୁ, ମଦନ ମୋହନ ସାହୁ, ସରପାଳ ଗ୍ରାମର ଈଶ୍ବର ନାଏକ, ଲିପନ ସାହୁ ଓ ଶତ୍ରୁଘନ ସାହୁଙ୍କ ଘର କାନ୍ଥ ଭାଙ୍ଗିଯାଇଛି। ଟାଙ୍ଗିର ସରପଞ୍ଚ ଅମରେଶ ନାଥ କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ଦାବି କରିଛନ୍ତି। ସେହିପରି ପାତ୍ରପଡା ପଞ୍ଚାୟତରେ ୭ରୁ ଊଦ୍ଧର୍‌ବ ହିତାଧିକାରୀଙ୍କ ଘର ଭାଙ୍ଗିଯାଇଛି।