Categories: ଫୁରସତ

ବାହୁବଲୀ ସିଙ୍ଗଡ଼ା

ସିଙ୍ଗଡା ଖାଇବାକୁ ଅନେକେ ଭଲ ପାଆନ୍ତି। ତେବେ କହିଲେ ଦେଖି ଗୋଟିଏ ସିଙ୍ଗଡ଼ା ଖାଇବାକୁ ଆପଣଙ୍କୁ କେତେ ସମୟ ଲାଗେ? ପାଞ୍ଚ ମିନିଟ ଭିତରେ ତ ଗୋଟିଏ ସିଙ୍ଗଡ଼ା ଆରାମରେ ଖାଇ ହେବ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ମିରଟର ଏକ ମିଠା ଦୋକାନର ମାଲିକ ଏକ ଖାସ୍‌ ସିଙ୍ଗଡ଼ା ଖାଇବାକୁ ୩୦ ମିନିଟ ସମୟ ଦେଉଛନ୍ତି। ଆଉ ଯେ ଏହି ସମୟ ଭିତରେ ତାକୁ ଖାଇଦେବ ତାଙ୍କୁ ୭୧୦୦୦ ଟଙ୍କା ପୁରସ୍କାର ଦିଆଯିବ ବୋଲି ମଧ୍ୟ ଘୋଷଣା କରିଛନ୍ତି। ଭାବୁଥିବେ ଏ ତ ସହଜରେ ଟଙ୍କା କମାଇବାର ଏକ ଭଲ ମାଧ୍ୟମ। ତେବେ ଏଠାରେ ଯେଉଁ ସିଙ୍ଗଡ଼ା କଥା କୁହାଯାଉଛି ତାକୁ ଏତିକି ସମୟ ଭିତରେ ଖାଇବା ଏତେଟା ସହଜ ନୁହେଁ। କାରଣ ଏ ହେଉଛି ‘ବାହୁବଲୀ ସିଙ୍ଗଡ଼ା’। ମିରଟର କୌଶଲ ସୁଇଟ୍ସ ନାମକ ଏକ ମିଠା ଦୋକାନ ଏହି ଖାସ୍‌ ସିଙ୍ଗଡ଼ା ତିଆରି କରୁଛି। ଆଉ ଚ୍ୟାଲେଞ୍ଜ ରଖିଛି ଯଦି କେହି ବ୍ୟକ୍ତି ଏହାକୁ ୩୦ ମିନିଟରେ ଖାଇଦେଇ ପାରିବେ ତାଙ୍କୁ ୭୧୦୦୦ ଟଙ୍କା ପୁରସ୍କାର ଦିଆଯିବ। ଆକାରରେ ବେଶ୍‌ ବଡ଼ ଉକ୍ତ ସିଙ୍ଗଡ଼ାର ଓଜନ ୧୨ କେ.ଜି.। ଏହାକୁ ତିଆରି କରିବା ଲାଗି ୬ ଘଣ୍ଟା ସମୟ ଲାଗେ। ଏକ ବଡ଼ କଡେଇରେ ଫ୍ରାଏ କରିବା ଲାଗି ତିନିଜଣ ରୋଷେଇୟାଙ୍କୁ ୯୦ ମିନିଟ ସମୟ ଲାଗିଯାଏ। ଏବେ ଏହି ସିଙ୍ଗଡ଼ା ମିରଟରେ ବହୁତ ଲୋକପ୍ରିୟ ହୋଇଗଲାଣି। ଲୋକେ ଜନ୍ମଦିନରେ କେକ୍‌ ବଦଳରେ ଏହାକୁ କାଟିବାକୁ ଆରମ୍ଭ କଲେଣି। ତେଣୁ ଆଗୁଆ ଅର୍ଡର ଦେଉଛନ୍ତି। ପ୍ରଥମେ ଉକ୍ତ ମିଠା ଦୋକାନର ମାଲିକ ୪ କି.ଗ୍ରା.ର ସିଙ୍ଗଡ଼ା ତିଆରି କରିଥିଲେ। ପରେ ଏହାର ଆକାର ବଢାଇ ୮ କି.ଗ୍ରା. ଓ ଏବେ ୧୨ କି.ଗ୍ରା. କରାଯାଇଛି। ଯାହାର ମୂଲ୍ୟ ୧୫୦୦ଟଙ୍କା ରଖାଯାଇଛି।

Share