Categories: ଜାତୀୟ

ବରବରା ରାଓଙ୍କୁ ଜାମିନ…

ନୂଆଦିଲ୍ଲୀ, ୧୦।୮ : ମହାରାଷ୍ଟ୍ରରେ ୨୦୧୮ ଭୀମା କୋରେଗାଓଁ ହିଂସା ମାମଲାରେ ଅଭିଯୁକ୍ତ କବି ୮୪ ବର୍ଷ ବୟସ୍କ ପି. ବରବରା ରାଓଙ୍କୁ ସ୍ବାସ୍ଥ୍ୟ ଆଧାରରେ ସୁପ୍ରିମକୋର୍ଟ ବୁଧବାର ଜାମିନ ପ୍ରଦାନ କରିଛନ୍ତି। ଏହାପୂର୍ବରୁ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଥିଲା।

ମଧ୍ୟବର୍ତ୍ତୀ ଜାମିନକୁ ନିୟମିତ ଜାମିନରେ ପରିଣତ କରିବା ସହିତ ସୁପ୍ରିମକୋର୍ଟଙ୍କ ବିଚାରପତି ୟୁୟୁ ଲଳିତ ଏବଂ ଅନିରୁଦ୍ଧ ବୋଷ ଏବଂ ସୁନ୍ଧାଶୁଂ ଧୁଳିଆଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ସର୍ତ୍ତ ରଖିଛନ୍ତି ଯେ ଟ୍ରାଏଲ କୋର୍ଟଙ୍କ ଅନୁମୋଦନ ବିନା ରାଓ ସହର ଛାଡି ପାରିବେ ନାହିଁ। ରାଓ ସାକ୍ଷୀମାନଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିବେ ନାହିଁ। ଏହାପୂର୍ବରୁ ବମ୍ବେ ହାଇକୋର୍ଟ ରାଓଙ୍କ ନିୟମିତ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ।

ବରବରା ରାଓଙ୍କୁ ୨୮ ଅଗଷ୍ଟ ୨୦୧୮ ରେ ହାଇଦ୍ରାବାଦସ୍ଥିତ ତାଙ୍କ ଘରୁ ଗିରଫ କରାଯାଇଥିଲା। ଭୀମ କୋରେଗାଓଁ ମାମଲାରେ ପୁଣେ ପୋଲିସ ଦ୍ୱାରା ୮ ଜାନୁଆରୀ ୨୦୧୮ରେ ବିଶ୍ରାମବାଗ ପୋଲିସ ଷ୍ଟେଶନରେ ଏକ ମାମଲା ରୁଜୁ ହୋଇଥିଲା। ଆଇପିସି ଏବଂ ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଅଧିନିୟମ (ୟୁଏପିଏ) ର ବିଭିନ୍ନ ଧାରା ଅନ୍ତର୍ଗତ ଏହି ମାମଲା ଦାୟର କରାଯାଇଥିଲା।

Share