ଅସଦାଚରଣ ପୀଡ଼ିତାଙ୍କଠାରୁ ରାଖୀ ବାନ୍ଧିଲେ ମିଳିବ ଜାମିନ

ଭୋପାଳ, ୩।୮: ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ରାୟକୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ଜାମିନ ଲାଗି ଆବେଦନ କରିଥିବା ଜଣେ ଯୁବକଙ୍କୁ ହାଇକୋର୍ଟ କହିଛନ୍ତି ଯେ, ଅସଦାଚରଣ ପ୍ରଦର୍ଶନ କରିଥିବା ମହିଳାଙ୍କଠାରୁ ରାଖୀ ବାନ୍ଧିଲେ ତାଙ୍କର ଜାମିନ ମଞ୍ଜୁର ହେବ। ଯୁବକଙ୍କ ନାମରେ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ରହିଛି। କୋର୍ଟ ପକ୍ଷରୁ କୁହାଯାଇଛି ସମ୍ପୃକ୍ତ ମହିଳାଙ୍କ ଘରକୁ ଯାଇ ରାଖୀ ବାନ୍ଧିବା ସହିତ ତାଙ୍କ ପିଲାଙ୍କୁ ଉପହାର ଦେଲେ ଜାମିନ ମଞ୍ଜୁର ହେବ। ପିଲାମାନଙ୍କୁ ୫ ହଜାର ଟଙ୍କାର ପୋଷାକ ଏବଂ ମହିଳାଙ୍କୁ ୧୧ ହଜାର ଟଙ୍କାର ଉପହାର ଦେବାଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ୍‌ରେ ଅଭିଯୁକ୍ତ ବିକ୍ରମ ବାଗରୀଙ୍କ ନାମରେ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ମହିଳାଙ୍କ ପରିବାର ପକ୍ଷରୁ ଏନେଇ ମାମଲା ଦାଏର କରାଯାଇଥିଲା। ବିକ୍ରମ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। ତେବେ ହାଇକୋର୍ଟ ଏଭଳି ଏକ ନିଆରା ସର୍ତ୍ତ ରଖିଥିଲେ। ରାଖୀ ବାନ୍ଧିବାର ଫଟୋ ଏବଂ ଉପହାର ରସିଦ୍‌ ହାଇକୋର୍ଟରେ ଦାଖଲ କରିବା ପରେ ଜାମିନ ଉପରେ ବିଚାର କରାଯିବ ବୋଲି କୋର୍ଟ କହିଛନ୍ତି।

Share