ବମ୍ବେ: କଥାରେ ଅଛି ଅତିରୁ ଇତି। ଠିକ୍ ସେଭଳି କିଛି ଘଟିବା ଭଳି ଲାଗୁଛି କଙ୍ଗନା ରାଣାଓ୍ବତଙ୍କ ଜୀବନରେ। ଅନେକ ସମୟରେ ନିଜର ବକ୍ତବ୍ୟକୁ ନେଇ ବିବାଦକୁ ଟାଣି ହୋଇ ଆସୁଥିବା କଙ୍ଗନା ଫସିଛନ୍ତି। ତାଙ୍କ ବିରୋଧରେ ଓ୍ବାରେଣ୍ଟ(ଗିରଫ ପରଓ୍ବାନା) ଜାରି ହୋଇଛି। ଲୋକପ୍ରିୟ ଗୀତିକାର ଜାଭେଦ ଅଖତରଙ୍କ ମାନହାନି ମାମଲାରେ ମୁମ୍ବାଇ କୋର୍ଟରେ ହାଜର ହୋଇ ନ ଥିଲେ ସେ। ଏହାର କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କ ବିରୋଧରେ ଜାମିନଯୋଗ୍ୟ ଓ୍ବାରେଣ୍ଟ ଜାରି ହୋଇଥିବା ଜଣାପଡ଼ିଛି।
ତେବେ ଏକ ଟେଲିଭିଜନ ସାକ୍ଷାତକାରରେ ଅପମାନଜନକ ଏବଂ ଭିତ୍ତିହୀନ ଅଭୀଯୋଗ ଲଗାଇଥିବା ନେଇ କଙ୍ଗନାଙ୍କ ବିରୋଧରେ ଅନ୍ଧେରୀର ମେଟ୍ରୋପଲିଟିନ୍ ମାଜିଷ୍ଟ୍ରେଟ୍ ଅଦାଲତରେ ଅପରାଧିକ ମାମଲା ଦାୟର କରିଥିଲେ। ଗତ ୫୫ ବର୍ଷରେ ଗୀତିକାର କମାଇଥିବା ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇଛନ୍ତି ଅଭିନେତ୍ରୀ। ଏଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଜାଭେଦ ଦାବି କରିଥିଲେ। ମାମଲାରେ ମାଜିଷ୍ଟ୍ରେଟ୍ ଅଦାଲତ ପକ୍ଷରୁ ମାର୍ଚ୍ଚରେ ଉପସ୍ଥିତ ରହିବାକୁ ନେଇ କଙ୍ଗନାଙ୍କୁ ସମନ କରାଯାଇଥିଲା। ହେଲେ ଅଭିନେତ୍ରୀ ତାହା ନକରିବାରୁ ଓ୍ବାରେଣ୍ଟ ଜାରି କରାଯାଇଛି। ଏଥିସହ ମାମଲାର ଶୁଣାଣି ୨୬ ମାର୍ଚ୍ଚକୁ ଘୁଞ୍ଚାଇ ଦିଆଯାଇଛି।