ଆଶ୍ୱାସନାରେ ଝୁଲିଲା ବୈଶିଙ୍ଗା ଡାକ୍ତରଖାନାର ଭାଗ୍ୟ

ବୈଶିଙ୍ଗା,୧୬ା୧୦(ରତନ ଦାଶ) ମୟୂରଭଞ୍ଜ ଜିଲା ବୈଶିଙ୍ଗା ଡାକ୍ତରଖାନାର ଭାଗ୍ୟ ଆଶ୍ୱାସନାରେ ଝୁଲି ରହିଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବଦଳରେ ୩୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଚିକିତ୍ସା କେନ୍ଦ୍ର ହେବା ନେଇ ପ୍ରତିଶ୍ରୁତି ମିଳିଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ନୈରାଶ୍ୟ ଭାବ ଦେଖିବାକୁ ମିଳିଛି।
ଡାକ୍ତରଖାନାକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବାକୁ ଦୀର୍ଘ ୩୦ ବର୍ଷ ହେବ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଆସୁଛି। ଏହି ଦାବି ପୂରଣ ପାଇଁ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀରୁ ଚାଲିଥିବା ରିଲେ ଅନଶନ ୧୨ ଦିନରେ ପହଞ୍ଚତ୍ବା ପରେ ବିଜେଡିର ବରିଷ୍ଠ ନେତୃବୃନ୍ଦ ପ୍ରତିଶ୍ରୁତି ଦେବାରୁ ଏହି ଅନଶନକୁ ସ୍ଥଗିତ ରଖାଯାଇଥିଲା। ଦାବି ସମ୍ପର୍କରେ ଆଲୋଚନା ସକାଶେ ସରକାରଙ୍କଠାରୁ ଡାକରା ପାଇ ଗତ ୧୩ ତାରିଖରେ ଆଞ୍ଚଳିକ ବିକାଶ ପରିଷଦର ଏକ ପ୍ରତିନିଧି ଦଳ ଭୁବନେଶ୍ୱରରେ ପହଞ୍ଚତ୍ଥିଲେ। ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଆଲୋଚନାରେ ବିକାଶ ପରିଷଦର ସଦସ୍ୟଙ୍କ ସହ ବିଜୁ ଜନତା ଦଳର ବଡସାହି ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ତଥା ମୟୂରଭଞ୍ଜ ସମବାୟ ବ୍ୟାଙ୍କ ଅଧ୍ୟକ୍ଷ ସୁବ୍ରମଣ୍ୟମ ମହାନ୍ତି, ବେତନଟୀ ବ୍ଲକ ଅଧ୍ୟକ୍ଷା କୌଶଲ୍ୟା ମାଝି , ଉପାଧ୍ୟକ୍ଷ ଦେବଦତ୍ତ ତିଆଡି, ୩୬ନଂଂ ଜିଲା ପରିଷଦ ସଦସ୍ୟା ସବିତା ଦାସ, ୩୭ ନଂ. ଜିଲା ପରିଷଦ ସଦସ୍ୟା ଧାନୀ କିସ୍କୁ, ପ୍ରାକ୍ତନ ବିଧାୟକ ଗଣେଶ୍ୱର ପାତ୍ର, ବୃନ୍ଦାବନ ଦାସ, ବିଜେଡି ନେତା ଶୁଭ୍ରାନ୍ତ ତିଆଡି, ରବି ନାରାୟଣ ପଣ୍ଡା, ବେତନଟୀ ବ୍ଲକ ସଭାପତି ସନ୍ତକ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ। ତେବେ ପରିତାପର ବିଷୟ ଯେ, ଆଞ୍ଚଳିକ ବିକାଶ ପରିଷଦର ମୂଳ ଦାବି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିବର୍ତ୍ତେ ୩୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଚିକିତ୍ସା ଗୃହ, ଅଧିକ ଡାକ୍ତର, ଅତ୍ୟାଧୁନିକ ଚିକିତ୍ସା ସେବାର ସୁବନ୍ଦୋବସ୍ତ କରାଯିବା ଏବଂ ଡିସେମ୍ବର ୩୧ ତାରିଖ ସୁଦ୍ଧା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶ୍ୱାସନା ମିଳିଥିଲା। ତେବେ ରାଜଧାନୀରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ଘୋଷଣା ଖବର ଆସିବାକୁ ଚାହିଁ ବସିଥିବା ସମଗ୍ର ଅଞ୍ଚଳବାସୀଙ୍କ ମଧ୍ୟରେ ନୈରାଶ୍ୟ ଭାବ ସୃଷ୍ଟି ହୋଇଛି।