ଭଦ୍ରକ ଅଫିସ,୧୫।୪: ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ଭଉଣୀଭାଇଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ସୋହଡ଼ା ପଞ୍ଚାୟତ ଗୌରାଙ୍ଗପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଭଉଣୀଭାଇ ହେଲେ ସୋହଡ଼ା ଗ୍ରାମର ମନ୍ମଥ ଦାସଙ୍କ ଝିଅ ବର୍ଷା ପ୍ରିୟଦର୍ଶିନୀ(୧୦) ଓ ପୁଅ ଜ୍ଞାନରଞ୍ଜନ (୫)।
ସୂଚନା ଅନୁଯାୟୀ, ସକାଳେ ସେମାନେ ବୈତରଣୀର ଗୌରାଙ୍ଗପୁର ଘାଟକୁ ଗାଧୋଇବାକୁ ଯାଇଥିଲେ। ଅପରାହ୍ନ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। ହେଲେ ସେମାନଙ୍କୁ ନ ପାଇବାରୁ ସ୍ଥାନୀୟ ଦମକଳ ଅଫିସ୍ ଓ ପୋଲିସକୁ ଖବର ଦେଇଥିଲେ। ସ୍ଥାନୀୟ ଲୋକେ ଖୋଜାଖୋଜି କରିବା ପରେ ନଦୀର ଏକ ଖାଲରେ ଶାର୍ଟ ଭାସୁଥିବା ଦେଖି ପୋଲିସକୁ ଜଣାଇଥିଲେ। ପୋଲିସ ଓ ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବୈତରଣୀ ଗୌରାଙ୍ଗପୁରଠାରେ ବ୍ରିଜ୍ କାମ ଚାଲିଥିବା ସ୍ଥାନରେ ଏକ ଖାଲରେ ଖୋଜାଖୋଜି କରି ଭଉଣୀ ଭାଇଙ୍କ ମୃତଦେହ ଠାବ କରିଥିଲେ। ମନ୍ମଥଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିଲେ। ସେମାନଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଧାମନଗର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।