ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି ବୈତରଣୀର ଅଞ୍ଜିରା ଘାଟ, କୁସେଇ ନଦୀ ଓ ବୈତରଣୀର ତିନିମୁହାଣି ନିକଟରୁ ବେଆଇନ ବାଲି ଚାଲାଣ କରାଯାଉଛି। ଏଥି ଯୋଗୁ ରାଜସ୍ବହାନୀ ହେଉଥିବା ବେଳେ ବାତୋ ଓ ଆମ୍ବୋକୁ ସଂଯୋଗ ପାଇଁ ନିର୍ମାଣାଧୀନ ସେତୁ ଭୁଶୁଡ଼ିବା ଆଶଙ୍କା ଦେଖାଦେଇଛି। ଏହାକୁ ନେଇ ଅଞ୍ଚଳବାସୀ ଚିନ୍ତିତ ହୋଇ ପଡ଼ିଥିବା ବେଳେ ମାଫିଆଙ୍କ ଭୟରେ କେହି ମୁହଁ ଖୋଲିବାକୁ ସାହସ କରୁନାହାନ୍ତି।

ସୂଚନା ଅନୁଯାୟୀ, ସେତୁର ପିଲର ତଳୁ ବାଲି ବ୍ୟବସାୟୀମାନେ ବେଧଡ଼କ ଦୈନିକ ଅନେକ ଶହ ଟ୍ରାକ୍ଟର ଓ ହାଇୱା ଯୋଗେ ବାଲି ଚୋରାରେ ଜିଲା ଓ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି। ସେତୁର ଅତି ନିକଟରୁ ବାଲି ଖନନ ଫଳରେ ସେତୁ ପ୍ରତି ବିପଦ ଦେଖାଦେଇଛି। ବାଲି ଟ୍ରିପ୍‌ ୨ ହଜାର ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ବେଳେ ବାହାର ଜିଲାକୁ ଚାଲାଣ କଲେ ଟ୍ରିପ୍‌ ପିଛା ୮ରୁ ୧୦ ହଜାର ଯାଏ ମିଳୁଛି। ଫଳରେ ବାଲି ଭଳି ଲଘୁ ଖଣିଜ ସାମଗ୍ରୀ ଉପରେ ସମସ୍ତଙ୍କ ଆଖି ରହିଛି। ଏଥି ପ୍ରତି କାହାର ଦୃଷ୍ଟି ପଡୁ ନ ଥିବାରୁ ଦିନକୁ ଦିନ ଏଠାରେ ବାଲି ଚୋରାଚାଲାଣ ବୃଦ୍ଧି ପାଇବାରେ ଲାଗିଛି। ଦିନ ହେଉକି ରାତି କାହାକୁ ଭୟ ନ କରି ବାଲି ଉତ୍ତୋଳନ କରାଯାଉଛି। ପ୍ରଶାସନ କବଳରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ଛକ ବଜାରରେ ସୂଚନାଦାତା ଜଗି ରହୁଛନ୍ତି। ଏହା ଦ୍ୱାରା ରାଜ୍ୟ ସରକାର ଅନେକ କୋଟି ଟଙ୍କା ରଜସ୍ବ ହରାଉଥିବା ବେଳେ ମାଫିଆ ଗାଡ଼ି ନମ୍ବର ପ୍ଲେଟ୍‌ ଖୋଲି ନିର୍ଭୟରେ ବାଲିଚାଲାଣ କରୁଛନ୍ତି। ଏଥିପ୍ରତି ପୋଲିସ ଓ ପରିବହନ ବିଭାଗ ମଧ୍ୟ ଆଖିବୁଜି ଦେଇଛି। ବାତୋ ବଜାର ଦେଇ ବାଲି ଗାଡ଼ିଯିବାରୁ ଧୂଳି ଧୂଆଁରେ ବିଦ୍ୟାଳୟ ଓ କଲେଜ ଯାଉଥିବା ଛାତ୍ରୀଛାତ୍ର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲା ପ୍ରଶାସନ ତୁରନ୍ତ ଏହି ସବୁ ବାଲିଘାଟକୁ ବେଆଇନ ଘୋଷଣା କରିବା ସହିତ ପୋଲକୁ ସୁରକ୍ଷିତ ରଖିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି। ସାଇଁକୁଳ ଆର୍‌ଆଇ ବିଷ୍ଣୁ ପ୍ରିୟା ସାହୁ କହିଛନ୍ତି, ସେ ୩ ଦିନ ହେବ ଏଠାରେ ଯୋଗ ଦେଇଛନ୍ତ। ଏ ବିଷୟରେ ଅଧିକ ଜାଣି ନାହାନ୍ତି। ଘଟଣା ସମ୍ପର୍କରେ ତହସିଲଦାର ନୀଳକଣ୍ଠ ବେହେରାଙ୍କୁ ଜଣେଇବେ।

Share