Categories: ଜାତୀୟ

ଆଦିବାସୀଙ୍କ ଉପରେ ପରିସ୍ରା କରିଥିବା ଭାଜପା କର୍ମୀ ଗିରଫ

ଭୋପାଳ/ନୂଆଦିଲ୍ଲୀ,୬।୭: ମଧ୍ୟପ୍ରଦେଶ ସିଦ୍ଧି ଜିଲାରେ ଆଦିବାସୀ ଶ୍ରମିକ ପାଲେ କୋଲଙ୍କ ଉପରେ ପରିସ୍ରା କରିଥିବା ଭାଜପା କର୍ମୀ ପ୍ରଭେଶ ଶୁକ୍ଳାଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ଗିରଫ କରିଛି। ପ୍ରଭେଶ ଜମି ଜବରଦଖଲ କରି ବେଆଇନ ଭାବେ ନିର୍ମାଣ କରିଥିବା ଘରକୁ ସ୍ଥାନୀୟ ପ୍ରଶାସନ ବୁଧବାର ବୁଲ୍‌ଡୋଜର ଲଗାଇ ଭାଙ୍ଗିଦେଇଛି।
୬ ଦିନ ପୁରୁଣା ଏକ ଭିଡିଓ ମଙ୍ଗଳବାର ସମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଥିଲା। ପାଲେ ତଳେ ବସିଥିବାବେଳେ ପ୍ରଭେଶ ସିଗାରେଟ୍‌ ଟାଣି ତାଙ୍କ ଉପରେ ପରିସ୍ରା କରୁଥିବା ଏଥିରେ ଦେଖାଯାଇଥିଲା। ପ୍ରଭେଶ ସ୍ଥାନୀୟ ଭାଜପା ବିଧାୟକ କେଦାରନାଥ ଶୁକ୍ଳାଙ୍କ ପ୍ରତିଦିଧି ବୋଲି ଜଣାପଡ଼ିବା ପରେ ବିବାଦ ଉଠିବାରୁ ତାଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ ମାମଲା ରୁଜୁ କରାଯାଇଛି। ରାଜଧାନୀ ଇନ୍ଦୋରରେ ଦଳିତ ଓ ଆଦିବାସୀମାନେ ଘଟଣାର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅଖିଳ ଭାରତୀୟ ବାଲାଜୀ ମାହାସଂଘ ବ୍ୟାନରରେ ସେମାନେ ପ୍ଲାକାର୍ଡ ଧରି ପ୍ରଭେଶଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ମହାସଂଘ ଅଧ୍ୟକ୍ଷ ମନୋଜ ପରମାର କହିଛନ୍ତି, ରାଜ୍ୟରେ ଜାତିଆଣ ଭେଦଭାବ ଯୋଗୁ ଏସ୍‌ସି/ଏସ୍‌ଟିଙ୍କ ଉପରେ ନିର୍ଯାତନା ବଢ଼ିଚାଲିଛି। ଯଦି ସମ୍ଭବ ପ୍ରଭେଶଙ୍କୁ ଫାଶୀ ଦିଆଯାଉ। ଉଚ୍ଚ ଜାତିର ଲୋକଙ୍କଠାରେ ସିରିଆ, ପାକିସ୍ତାନ ଓ ଆଫଗାନିସ୍ତାନ ଭଳି ମାନସିକତା ରହିବା ଏବଂ ସେମାନେ ଅନ୍ୟଙ୍କୁ ନିର୍ଯାତନା ଦେବା ଆମ ଦେଶରେ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ସେପଟେ ଘଟଣାକୁ ନେଇ ଭଜପା ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଭାଜପା ଶାସନ କାଳରେ ଅନୁସୂଚିତ ଜାତି ଓ ଆଦିବାସୀଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି। ଶ୍ରମିକଙ୍କ ଉପରେ ପରିସ୍ରା କରିବା ଘଟଣା ଭାରତୀୟ ଜନତା ପାର୍ଟିର ଅମାନୁଷିକ କାର୍ଯ୍ୟ ଏବଂ ଦଳିତଙ୍କ ପ୍ରତି ଥିବା ତାଙ୍କ ଘୃଣା ମନୋଭାବକୁ ପଦାରେ ପକାଇଥିବା ସେ କହିଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି, ଭାଜପା ବିଧାୟକଙ୍କ ସହଯୋଗୀ ଆଦିବାସୀଙ୍କ ଉପରେ ପରିସ୍ରା କରିବା ଅତ୍ୟନ୍ତ ଅମାନବୀୟ ଏବଂ ଘୃଣ୍ୟ। ରାଜ୍ୟରେ ଭାଜପା ଶାସନକୁ ୧୮ ବର୍ଷ ବିତିଯାଇଛି। ଏବେ ସୁଦ୍ଧା ଆଦିବାସୀଙ୍କ ଉପରେ ଅତ୍ୟାଚାର ନେଇ ମୋଟ ୩୦,୪୦୦ ମାମଲା ସାମ୍ନାକୁ ଆସିଛି। ଭାଜପାର ଶାସକମାନେ ଆଦିବାସୀଙ୍କ ହିତ ଉଦ୍ଦେଶ୍ୟରେ ମିଛ ପ୍ରତିଶ୍ରୁତି ଦେଉଛନ୍ତି। ଆଦିବାସୀଙ୍କ ଉପରେ ପରିସ୍ରା କରିବାର ଭିଡିଓ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରଭେଶଙ୍କୁ ଗିରଫ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ।

Share