ବାଜଓ୍ବାଙ୍କ ପରିବାର ୬ ବର୍ଷରେ ହୋଇଛନ୍ତି ଅରବପତି…

ଇସଲାମାବାଦ,୨୧।୧୧ : ଆଗାମୀ କିଛି ଦିନ ମଧ୍ୟରେ ଅବସର ନେବାକୁ ଯାଉଥିବା ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ପରିବାରକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଆସିଛି। ଏହି କାରଣରୁ, ତାଙ୍କ କାର୍ଯ୍ୟକାଳରେ ଦୁର୍ନୀତି କଳଙ୍କ ଲାଗିବାକୁ ଯାଉଛି।

ଜେନେରାଲ ବାଜୱାଙ୍କ ପରିବାର ମାତ୍ର ୬ବର୍ଷ ମଧ୍ୟରେ ଅରବ ପତି ହୋଇପାରିଛନ୍ତି ବୋଲି ରିପୋର୍ଟରେ ଦାବି କରାଯାଇଛି। ଏହି ରିପୋର୍ଟ ପାକିସ୍ତାନରେ ରାଜନୈତିକ ସଙ୍କଟ ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି।

ପାକିସ୍ତାନରେ ସବୁଠାରୁ ଶକ୍ତିଶାଳୀ ହେଉଛି ସେନା। ଏପରିସ୍ଥଳେ ଏହି ସମ୍ବେଦନଶୀଳ ରିପୋର୍ଟ ପାକ ସେନାରେ ବ୍ୟାପକ ଦୁର୍ନୀତିକୁ ସୂଚାଉଛି। ଏଥିରେ କୁହାଯାଇଛି ଯେ ବାଜୱା ଯିବା ପୂର୍ବରୁ ଆସିଥିବା ରିପୋର୍ଟରେ ଦର୍ଶାଯାଇଛି ଯେ ଗତ ୬ବର୍ଷ ମଧ୍ୟରେ ତାଙ୍କ ପରିବାର ସଦସ୍ୟଙ୍କ ସମ୍ପତ୍ତିରେ ବହୁତ ବୃଦ୍ଧି ଘଟିଛି।

ଫ୍ୟାକ୍ଟ ଫୋକସର ପାକିସ୍ତାନୀ ଗଣମାଧ୍ୟମ ପ୍ରତିନିଧି ଅହମ୍ମଦ ନୁରାନି ଏହି ଅନୁସନ୍ଧାନ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। କିଛି ବର୍ଷ ମଧ୍ୟରେ ବାଜୱାଙ୍କର ବହୁ ଘନିଷ୍ଠ ଏବଂ ପରିବାର ସଦସ୍ୟ କେତେକ ନୂତନ ବ୍ୟବସାୟ ଆରମ୍ଭ କରିଥିଲେ ଏବଂ ପାକିସ୍ତାନର ପ୍ରମୁଖ ସହରଗୁଡିକରେ ଫାର୍ମହାଉସର ମାଲିକ ହୋଇଥିଲେ ବୋଲି ନୁରାନୀ ପ୍ରକାଶ କରିଛନ୍ତି। ସେମାନେ ବିଦେଶୀ ସମ୍ପତ୍ତି କିଣି ସେଥିରୁ କୋଟି କୋଟି ଟଙ୍କା ରୋଜଗାର କରିଥିଲେ।

ଫ୍ୟାକ୍ଟ ଫୋକସ ରିପୋର୍ଟରେ ବହୁ ତଥ୍ୟ ଉପସ୍ଥାପିତ ହୋଇଛି। ବାଜଓ୍ବଙ୍କ ସ୍ତ୍ରୀ ଆୟେଶା ଅମଜାଦ, ବୋହୂ ମହନୁର ସାବୀର ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ସମ୍ପତ୍ତି ବୃଦ୍ଧି ପାଇବା ବିଷୟରେ ଉଲ୍ଲେଖ ହୋଇଛି।

Share