Categories: ଖେଳ

ଓଡ଼ିଶା ଏଫ୍‌ସିରେ ଯୋଗଦେଲେ ବାଲା ଦେବୀ

ଭୁବନେଶ୍ୱର,୧୦ା୨(ସ୍ପୋଟର୍‌ସ ବ୍ୟୁରୋ):ଓଡ଼ିଶା ଏଫ୍‌ସି ମହିଳା ଦଳରେ ଯୋଗ ଦେଇଛନ୍ତି ଭାରତୀୟ ଫୁଟ୍‌ବଲ ଦଳର ଅଧିନାୟିକା ବାଲା ଦେବୀ। ଆଇଏସ୍‌ଏଲ୍‌ର ଆସନ୍ତା ସଂସ୍କରଣ ପାଇଁ ବାଲା ଦେବୀ ଓଏଫ୍‌ସି ସହିତ ଏକ ବର୍ଷର ଚୁକ୍ତି ସ୍ବାକ୍ଷର କରିଛନ୍ତି। ମଣିପୁରର ଇମ୍ଫାଲରେ ଜନ୍ମିତ ବାଲା ୨୦୦୨ରୁ ୧୯ ବର୍ଷରୁ କମ୍‌ ମଣିପୁର ଦଳର ପ୍ରତିନିଧିତ୍ୱ କରିଥିଲେ। ସମାନ ବର୍ଷରେ ମଣିପୁର ଦଳକୁ ୧୯ ବର୍ଷରୁ କମ୍‌ ମହିଳା ଚାମ୍ପିୟନଶିପ୍‌ରେ ବିଜୟୀ କରାଇବା ସହିତ ଶ୍ରେଷ୍ଠ ଖେଳାଳିର ମାନ୍ୟତା ହାସଲ କରିଥିଲେ। କ୍ରମାଗତ ଦୁଇ ବର୍ଷ ମଣିପୁର ଚାମ୍ପିୟନ ହେବା ସହିତ ବାଲା ଦେବୀଙ୍କୁ ମିଳିଥିଲା ୧୭ ବର୍ଷରୁ କମ୍‌ ଭାରତୀୟ ଦଳକୁ ଡାକରା। ୨୦୧୪ରେ ସେ ମଣିପୁରକୁ ଜାତୀୟ ଚାମ୍ପିୟନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସମାନ ବର୍ଷର ସାଫ୍‌ କ୍ରୀଡ଼ାରେ ସେ ୫ ମ୍ୟାଚ୍‌ରୁ ୧୬ଟି ଗୋଲ ସ୍କୋର କରିଥିଲେ। ସର୍ବଭାରତୀୟ ଫୁଟ୍‌ବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ପକ୍ଷରୁ ତାଙ୍କୁ ବର୍ଷର ଶ୍ରେଷ୍ଠ ମହିଳା ଖେଳାଳି ଭାବେ ଘୋଷଣା କରାଯାଇଥିଲ। ୨୦୧୫ ଜାତୀୟ ଚାମ୍ପିୟନଶିପ୍‌ରେ ଓଡ଼ିଶା ବିପକ୍ଷରେ ସ୍କୋର କରିଥିଲେ ବାଲା ଦେବୀ। ଏହି ଗୋଲ୍‌ ବଳରେ ମଣିପୁର ଜାତୀୟ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ନିଜ କ୍ୟାରିୟରରେ ବାଲା ଏକାଧିକ ପୁରସ୍କାର ଜିତିଥିଲେ। ଇଣ୍ଡିଆନ୍‌ ଓମେନ୍ସ ଲିଗ୍‌ ଓ ନର୍ଥ ଇଷ୍ଟ ଓମେନ୍ସ ଲିଗ୍‌ ଚାମ୍ପିୟନ ହେବା ସହିତ ଇତିହାସ ରଚିଥିଲେ। ୨୦୨୦ରେ ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବେ ଏକ ଅନ୍ତର୍ଜାତୀୟ ଫୁଟ୍‌ବଲ କ୍ଲବ ସହିତ ସେ ଚୁକ୍ତି ସ୍ବାକ୍ଷର କରିଥିଲେ। ସ୍କଟିସ୍‌ ପ୍ରିମିୟର ଲିଗ୍‌ରେ ରେଞ୍ଜର ଏଫ୍‌ସି ୯-୦ ଗୋଲରେ ମଦରଓ୍ବେଲକୁ ପରାସ୍ତ କରିଥିଲା। ଏହାସହିତ ପ୍ରଥମ ମହିଳା ଭାବେ ଏକ ୟୁରୋପିଆନ୍‌ ଲିଗ୍‌ରେ ସ୍କୋର କରିବାର ସୌଭାଗ୍ୟ ହାସଲ କରିଥିଲେ। ଭାରତ ପାଇଁ ୪୬ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ୩୬ ଗୋଲ ସ୍କୋର କରିଛନ୍ତି। ନିୟମିତ ଗୋଲ ସ୍କୋର କରିବାରେ ବାଲା ଦେବୀଙ୍କ ଦକ୍ଷତା ତାଙ୍କୁ ବିଶ୍ୱ ଫୁଟ୍‌ବଲରେ ଏକ ସ୍ବତନ୍ତ୍ର ସ୍ଥାନ ଦେଇଥିବା ବେଳେ ସେ ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

Share