ବଳଭଦ୍ରଙ୍କ ମୁଖ୍ୟ ବାଡଗ୍ରାହୀଙ୍କ ବିସ୍ଫୋରକ ବୟାନ, ଗୁଣ୍ଡିଚା ଦିନ ଉପାସ ଥିଲେ ବଡ଼ ଠାକୁର…

ଭୁବନେଶ୍ୱର,୧୩।୭: ଗୁଣ୍ଡିଚା ବିଜେ ପହଣ୍ଡିବେଳେ ଚାରମାଳ ଉପରେ ବଡ଼ଠାକୁର ମୁହଁମାଡି ପଡିଯିବା ଘଟଣା ଏବେ ସମସ୍ତଙ୍କୁ ମର୍ମାହତ କରିଛି । ଏହାର ମୁଖ୍ୟ କାରଣ ସେବାୟତଙ୍କ ବେପୁରୁଆ ମନଭାବ ଓ ଅଣସେବାୟତଙ୍କ ପ୍ରବେଶକୁ ଅନେକ ସ୍ଥଳରେ ଦାୟୀ କରାଯାଇଥିବା ବେଳେ ଏନେଇ ବିସ୍ଫୋରକ ବୟାନ ଦେଇଛନ୍ତି ମହାପ୍ରଭୁ ବଳଭଦ୍ରଙ୍କ ମୁଖ୍ୟ ବାଡଗ୍ରାହୀ ହଳଧର ଦାସ ମହାପାତ୍ର । ଗୁଣ୍ଡିଚା ଦିନ ମହାପ୍ରଭୁ ଭୋକଉପାସରେ ପହଣ୍ଡି କରିଥିଲେ ବୋଲି ସେ କହିଛନ୍ତି ।

ବାଡଗ୍ରାହୀଙ୍କ କହିବା ଅନୁଯାୟୀ, ଗୋଟିଏ ଦିନରେ ଗୁଣ୍ଡିଚା ଓ ନେତ୍ରୋତ୍ସବ ନୀତି କରାଯାଇପାରିବ ନାହିଁ । ଏଥିପାଇଁ ସେବକମାନେ ନୀତି କାନ୍ତିରେ ଅବହେଳା କରିଛନ୍ତି । ଯାହାଦ୍ବାରା ଠାକୁରଙ୍କ ନବଯୌବନ ନୀତିକାନ୍ତିରେ ମହାବିଭ୍ରାଟ ହୋଇଛି । ଏହା ସହିତ ଠାକୁର ଅଣସର ଘରେ ଥିବାବେଳେ ଆଜ୍ଞାମାଳ କେମିତି ରଥକୁ ଗଲା ବୋଲି ତାହା ପ୍ରଶ୍ନ କରିଛନ୍ତି ବାଡଗ୍ରାହୀ । ଏହାସହିତ ମହାପ୍ରଭୁଙ୍କୁ ନା ନେତ୍ର ଦିଆଯାଇଥିଲା, ନା ଖାଇବାକୁ ଦିଆଯାଇଥିଲା, ଭୋକ ଉପାସରେ ମହାପ୍ରଭୁ ଯାତ୍ରା କରିଥିବାରୁ ଏଭଳି ଅଘଟଣ ଘଟିଛି ବୋଲି କହିଛନ୍ତି ବାଡଗ୍ରାହୀ ।

ଅନ୍ୟପଟେ ଅଣସେବାୟତ ଓ ରଥ ଉପରେ ମୋବାଇଲ ଫୋନକୁ ମଧ୍ୟ ମୁଖ୍ୟ କାରଣ ବୋଲି କହିଛନ୍ତି ବାଡଗ୍ରାହୀ । ଏନେଇ ବାଡଗ୍ରାହୀ କହିଛନ୍ତି, କିଛି ସେବାୟତ ଯାହାଙ୍କର ପହଣ୍ଡିରେ କୌଣସି କାମ ନ ଥିଲା ସେମାନେ ପହଣ୍ଡିରେ ପଶି ଗହଳି ସୃଷ୍ଟି କରିଥିବାରୁ ଏଭଳି ଅଘଟଣ ଘଟିଲା । ମୋବାଇଲ ମାନିଆ ଓ ସେବାୟତଙ୍କ ଖାମଖିଆଲି କାମ ଏସବୁ କିଛି ପାଇଁ ଦାୟୀ ବୋଲି ସେ କହିଛନ୍ତି ।

Share