ବଲାଙ୍ଗୀର ଅଫିସ, ୨୮।୯: ବଲାଙ୍ଗୀର ଜିଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢ଼ୀ ଲାଞ୍ଚ ନେଇ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ପଣ୍ଡକିଟାଲ ଗାଁର ସାର ଦୋକାନୀ ଦୁର୍ଯ୍ୟୋଧନ ବାରିକଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଦୁର୍ଯ୍ୟୋଧନ ଏକ ସାର ଦୋକାନ କରିଥିବା ବେଳେ ସାର ବିକ୍ରି ପାଇଁ ମାଗଣାରେ ପି.ଓ.ଏସ୍ ବା ପଏଣ୍ଟ ଅଫ ସେଲ ମେଶିନ ତାଙ୍କୁ ମିଳିବା କଥା । କିନ୍ତୁ ମାଗଣା ମେଶିନ ଦେବା ବଦଳରେ ଜିଲା କୃଷି ଅଧିକାରୀ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଦୁର୍ଯ୍ୟୋଧନ ଏ ନେଇ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ମୁତାବକ ମଙ୍ଗଳବାର ନିଜ ଅଫିସରେ କେମିକାଲ ମିଶା ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଥିଲେ। ପରେ ତାଙ୍କ ଘରେ ଖାନ୍ତଲାସୀ ଚାଲିଥିଲା। ତାଙ୍କୁ ଗିରଫ କରାଯାଇ ତଦନ୍ତ ଚାଲିଛି। ତେବେ କୃଷି ଅଧିକାରୀ ଏହାକୁ ଖଣ୍ଡନ କରିଛନ୍ତି।