ବଲାଙ୍ଗୀର ଲୋକସଭା ଭାଜପା ପ୍ରାର୍ଥୀ ସଙ୍ଗୀତାଙ୍କ ସମ୍ପତ୍ତି ୫୦.୯୨ କୋଟି

ବଲାଙ୍ଗୀର, ୧ା୫(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂଦେଓ ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟରେ ୨୦୨୪ ନିର୍ବାଚନ ସକାଶେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ସହ ଦାଖଲ କରିଥିବା ଆଫିଡେଭିଡ୍‌ରେ ସେ ତାଙ୍କର ଶିକ୍ଷାଗତ ଯୋଗ୍ୟତାରେ ନୂଆଦିଲ୍ଲୀ ଚାଣକ୍ୟପୁରୀସ୍ଥିତ ଜେସସ୍‌ ଏଣ୍ଡ ମେରୀ କଲେଜରୁ ରାଜନୀତି ବିଜ୍ଞାନ ସମ୍ମାନରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଉଲ୍ଲେଖ କରିଛନ୍ତି।

ତାଙ୍କ ସମୁଦାୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମିଶି ୫୦.୯୨ କୋଟି ବୋଲି ଉଲ୍ଲେଖ କରିଛନ୍ତି। ଉଲ୍ଲିଖିତ ସମ୍ପତ୍ତି ତାଲିକାରେ ୪ କୋଟି ୩୫ ଲକ୍ଷ ୪୩ ହଜାର ୮୧୭ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଥିବା ବେଳେ ଆଜିର ବଜାର ମୂଲ୍ୟାଙ୍କନରେ ୪୬ କୋଟି ୫୭ ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ଅସ୍ଥାବର ସମ୍ପତ୍ତିରେ ୧୩ ଲକ୍ଷ ୫୦ ହଜାର ଟଙ୍କାର ହୋଣ୍ଡା ସିଭିକ ଗାଡି, ୧୭ ଲକ୍ଷ ୫୦ ହଜାର ଟଙ୍କାର ମହିନ୍ଦ୍ରା ଏକ୍ସୟୁଭି ଏବଂ ୩୮.୫୮ ଲକ୍ଷ ଟଙ୍କାର ଅଳଙ୍କାର, ୮୫ ହଜାର ନଗଦ ଟଙ୍କା, ବ୍ୟାଙ୍କ ବାଲାନ୍ସ, ଫିକ୍ସଡ୍‌ ଡିପୋଜିଟ ରହିଛି।

ସ୍ଥାବର ସମ୍ପତ୍ତିରେ ନୂଆଦିଲ୍ଲୀରେ ବ୍ୟବସାୟିକ କୋଠା, ଭୁବନେଶ୍ୱରରେ ବାସଭବନ, ନୂଆଦିଲ୍ଲୀରେ ଅଣକୃଷିଭିତ୍ତିକ ୧.୨୫ ଡିସମିଲ ଜମି ରହିଥିବା ଉଲ୍ଲେଖ କରିଛନ୍ତି। ଏହାସହିତ ସଙ୍ଗୀତା ଦେବୀଙ୍କ ସ୍ବାମୀ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଅସ୍ଥାବର ସମ୍ପତ୍ତି ୨.୮୧ କୋଟି ଏବଂ ସ୍ଥାବର ସମ୍ପତ୍ତି ୧୨.୯୫ କୋଟି ଟଙ୍କାର ସମ୍ପତ୍ତି ରହିଥିବା ଉଲ୍ଲେଖ କରାଯାଇଛି।

Share