୭ ହଜାର ଲିଟର ଦେଶୀ ମଦ ନଷ୍ଟ କଲା ବଲାଙ୍ଗୀର ପୋଲିସ

ବଲାଙ୍ଗୀର ଅଫିସ, ୧୬।୧୨: ବଲାଙ୍ଗୀର ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଶୁକ୍ରବାର ବଲାଙ୍ଗୀର ବିଜାଖମନ ଜଙ୍ଗଲରେ ୭ ହଜାର ଲିଟର ଦେଶୀ ମଦ ନଷ୍ଟ କରିଛି। ବଲାଙ୍ଗୀର ଜିଲାର ୧୭ଟି ଥାନା ଅଧୀନରେ ହୋଇଥିବା ୫୦୮ଟି ମାମଲାରେ ଏହି ମଦ ଜବତ କରାଯାଇଥିଲା । ଆଇନଗତ ଭାବେ ଓଡ଼ିଶାରେ ପ୍ରଥମ ଥର ପାଇଁ ଜବତ ମଦ ନଷ୍ଟ କରାଯାଇଛି । ନଷ୍ଟ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୬ଲକ୍ଷ ଟଙ୍କାରୁ ଊଦ୍ଧର୍‌ବ ହେବ ବୋଲି ବଲାଙ୍ଗୀର ଏସ୍‌ପି ନୀତିନ କୁଶଲକର ସୂଚନା ଦେଇଛନ୍ତି । ମଦ ନଷ୍ଟ ପ୍ରକ୍ରିୟା ବେଳେ ଅତିରିକ୍ତ ଏସ୍‌ପି ସୁରେଶ କୁମାର ନାଏକ, ଅବକାରୀ ଅଧୀକ୍ଷକ ସୀତାକାନ୍ତ ମୁଦୁଲି, ବଲାଙ୍ଗୀର ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡା, ସଦର ଏସ୍‌ଡିପିଓ ତୋଫାନ ବାଗଙ୍କ ସହ ବିଭିନ୍ନ ଥାନାର ଆଇଆଇସି ଉପସ୍ଥିତ ଥିଲେ। ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ବୋଲି କୁହାଯାଇଛି ।