Categories: ଗଞ୍ଜାମ

ଟିଫିନ୍‌ ଧୋଇବାକୁ ପୋଖରୀକୁ ଯାଇଥିଲେ ବଳରାମ, ଅସାବଧାନତା କାରଣରୁ….

ଦିଗପହଣ୍ଡି,୩।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗଡ଼ଗୋବିନ୍ଦପୁର ଗ୍ରାମର ସାଗର ବଡ଼ବନ୍ଧ ପୋଖରୀରୁ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ଗଡ଼ଗୋବିନ୍ଦପୁର ଗ୍ରାମର ବଳରାମ ପ୍ରଧାନ। ସେ ସୋମବାର ଅପରାହ୍ନରେ ଖାଇବା ପରେ ପୋଖରୀରେ ଟିଫିନ ଧୋଉଥିବାବେଳେ ପ୍ଲେଟଟି ଭାସି ଯାଇଥିଲା। ଅସାବଧାନତା କାରଣରୁ ସେ ପୋଖରୀର ଗଭୀର ପାଣି ଭିତରକୁ ଚାଲିଯାଇଥିଲେ। ପୋଖରୀ ମଧ୍ୟରେ ବଳରାମ ନିଖୋଜ ସମ୍ପର୍କରେ ଗ୍ରାମବାସୀ ଙ୍କଠାରୁ ଖବର ପାଇବାପରେ ଚିକିଟି ଅଗ୍ନିଶମ ବାହିନୀ ଓ କେ.ନୂଆଗାଁ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ମିଳି ନ ଥିଲା। ରାତି ହୋଇଯିବା କାରଣରୁ ଅନ୍ଧାରରେ ଅଗ୍ନିଶମ କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ କରିଥିଲେ ମଧ୍ୟ ବଳରାମଙ୍କ ଖୋଜଖବର ପାଇ ନ ଥିଲେ। ପୋଲିସ ଟିମ ଓ ଅଗ୍ନିଶମ କର୍ମଚାରୀ ମାନେ ଫେରିଯାଇଥିଲେ। ମଙ୍ଗଳବାର ସକାଳେ ପୁଣି ଅଗ୍ନିଶମବାହିନୀ ପହଞ୍ଚି କିଛି ଗ୍ରାମବାସୀଙ୍କ ସହାୟତାରେ ପୋଖରୀ ସାରା ତଲାସି କରିବା ପରେ ଗଭୀର ପଙ୍କ ମଧ୍ୟରୁ ତାଙ୍କ ମୃତଦେହ ମିଳିଥିଲା। ବଳରାମଙ୍କ ସ୍ତ୍ରୀ, ଗୋଟିଏ ପୁଅ ଓ ଝିଅ ଅଛନ୍ତି। କେ.ନୂଆଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି।
ଗରିବ ଅସହାୟ ଦିନ ମଜୁରିଆ ବଳରାମଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସରପଞ୍ଚ ରଞ୍ଜନ କୁମାର ସାହୁ ଏବଂ ଗ୍ରାମବାସୀ ଦାବି କରିଛନ୍ତି।