କାଳିଆ ପରେ ବଳରାମ

 

ନଟବର ଖୁଣ୍ଟିଆ

ଓଡ଼ିଶା ସରକାର ୨୦୧୮ ଡିସେମ୍ବରରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭୂମିହୀନ କୃଷି ଶ୍ରମିକ ଓ ଅକର୍ମଣ୍ୟ ବୃଦ୍ଧ ଚାଷୀଙ୍କର ଆୟ ବଢ଼ାଇବା ପାଇଁ ‘କାଳିଆ’ ଯୋଜନା କାର୍ଯ୍ୟକାରୀ କଲେ। ଏହି ଯୋଜନାର ପ୍ରକୃତ ନାମ ହେଲା ‘Krushak Assistance for Livelihood and Income Augmentation (KALIA)। କାଳିଆ ଯୋଜନା ପ୍ରସ୍ତୁତ କଲାବେଳେ ସରକାର କହିଲେ ରାଜ୍ୟର ମୋଟ ଚାଷୀ ପରିବାର ସଂଖ୍ୟା ୩୨ ଲକ୍ଷ ଆଉ ସେମାନଙ୍କ ମଧ୍ୟରୁ ୩୦ ଲକ୍ଷ ହେଲେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, କିନ୍ତୁ ୨୦୧୦-୧୧ କୃଷି ଗଣନାରେ କୁହାଯାଇଛି ଯେ, ଓଡ଼ିଶାରେ ମୋଟ ଚାଷୀ ପରିବାର ସଂଖ୍ୟା ୪୭ ଲକ୍ଷ ଆଉ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସଂଖ୍ୟା ୪୩ ଲକ୍ଷ। ଏହି ଭୁଲ୍‌ ତଥ୍ୟକୁ ଆଧାର କରି ସରକାର କାଳିଆ ଯୋଜନାରେ କହିଲେ ୩୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୧୦ ହଜାର ଟଙ୍କା କରି ସିଧାସଳଖ ଅର୍ଥ ଯୋଗାଇ ଦେବାବେଳେ ୧୦ ଲକ୍ଷ ଭୂମିହୀନଙ୍କୁ ୧୨ ହଜାର ୫୦୦ ଟଙ୍କା କରି ଅର୍ଥ ଦେବେ କୃଷି ଆନୁଷଙ୍ଗିକ ବୃତ୍ତି କରିବାକୁ ଏବଂ ୧୦ ଲକ୍ଷ ବୃଦ୍ଧ ଓ ଅକର୍ମଣ୍ୟ ଚାଷୀଙ୍କୁ ୧୦ ହଜାର ଟଙ୍କା କରି ସାହାଯ୍ୟ ଯୋଗାଇ ଦେବେ। ଆମେ ସେତେବେଳେ ମତ ରଖିଥିଲୁ ଯେହେତୁ ଠିକ୍‌ ତଥ୍ୟକୁ ବିଚାରକୁ ନ ନେଇ ସରକାର ତରବରିଆ ଭାବରେ ଏହି ଯୋଜନା ପ୍ରସ୍ତୁତ କରିଛନ୍ତି, ତେଣୁ ଧାର୍ଯ୍ୟ ଲକ୍ଷ୍ୟ କଦାପି ହାସଲ ହେବ ନାହିଁ।
କୋଭିଡ୍‌-୧୯ ବିଶ୍ୱ ମହାମାରୀ ସଂକ୍ରମଣ ଫଳରେ ସାରା ପୃଥିବୀ ସମେତ ଭାରତର ଅର୍ଥନୈତିକ ସ୍ଥିତି ସଙ୍କଟରେ ପଡ଼ିଥିବା ବେଳେ ଓଡ଼ିଶା ସେଥିରୁ ବାଦ୍‌ ଯାଇ ନାହିଁ। ସାଧାରଣ ଲୋକଙ୍କର ଆୟ ଅସମ୍ଭବ ଭାବରେ ହ୍ରାସ ପାଇବାରେ ଲାଗିଛି। ଚାଷୀମାନଙ୍କର ସ୍ଥିତି ମଧ୍ୟ ସଂକଟରେ। ବିଶେଷକରି ଭୂମିହୀନ ଭାଗଚାଷୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ପାଖରେ ଯଥେଷ୍ଟ ଅର୍ଥ ନ ଥିବାରୁ ଚାଷ କାମରେ ନିବେଶ କରି ନ ପାରିବାରୁ ସେମାନଙ୍କର ଆୟ ବୃଦ୍ଧି ପାଉନାହିଁ। ଏହି ସମୟରେ ଓଡ଼ିଶା ରାଜ୍ୟ ସରକାର ଭୂମିହୀନ ଭାଗ ଚାଷୀମାନେ କିପରି ସେମାନଙ୍କର ଆୟ ବୃଦ୍ଧି କରିବେ ସେଥିପାଇଁ ‘ବଳରାମ’ ନାମରେ ଏକ ଯୋଜନା ଗତ ଜୁନ୍‌ ୨ ତାରିଖରେ ଘୋଷଣା କରିଛନ୍ତି। ବଳରାମ ହେଉଛନ୍ତି କୃଷିର ଦେବତା। ତାଙ୍କୁ ମଧ୍ୟ ହଳଧର କୁହାଯାଏ। ସରକାର ପୁନଶ୍ଚ ଧାର୍ମିକ ଭାବପ୍ରବଣତାର ଉପଯୋଗ କରିବାକୁ ଉଦ୍ୟମ କରିଛନ୍ତି ‘ବଳରାମ’ ନାମକରଣ କରି। ଏହି ଯୋଜନାର ପ୍ରକୃତ ନାମ ହେଲା, ‘Bhoomihin Agricultural Loan And Resource Augmentation Model (BALARAM)’।
ଏହି ବଳରାମ ଯୋଜନାକୁ ବୁଝିବିଚାରି କରିଥିବା ପରି ମନେହେଉନାହିଁ। ପ୍ରକୃତ କ୍ଷେତ୍ରରେ ଏହା କେତେଦୂର କାର୍ଯ୍ୟକାରୀ ହୋଇପାରିବ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ବର୍ତ୍ତମାନ ସହରାଞ୍ଚଳ ଓ ଅର୍ଦ୍ଧସହରାଞ୍ଚଳରେ ବିଭିନ୍ନ ବ୍ୟାଙ୍କର ୭ ହଜାର ଶାଖା ଅଛି। ଯୋଜନାରେ କୁହାଯାଉଛି ଯେ, ପ୍ରତି ଶାଖା ଅନୂ୍ୟନ ୧୦ଟି ଯୁଗ୍ମ ଦାୟିତ୍ୱ ଗୋଷ୍ଠୀ (ଜଏଣ୍ଟ ଲାଏବିଲିଟି ଗ୍ରୁପ୍‌-ଜେଏଲ୍‌ଜି)ଙ୍କୁ ଦୁଇ ବର୍ଷରେ କୃଷି ବିକାଶ ପାଇଁ ଋଣ ଦେବେ। ଚଳିତ ଆର୍ଥିକ ବର୍ଷରେ ୫ ଜଣ ଲେଖା ୭୦ ହଜାର ଗୋଷ୍ଠୀଙ୍କୁ ଋଣ ଦେବେ ଆଉ ପରବର୍ତ୍ତୀ ବର୍ଷରେ ଆଉ ୭୦ ହଜାର ଗୋଷ୍ଠୀଙ୍କୁ ଋଣ ଦେବେ। ବର୍ଷକୁ ୩.୫ ଲକ୍ଷ ଭୂମିହୀନ ଚାଷୀଙ୍କୁ ଋଣ ଦେଇ ଦୁଇ ବର୍ଷରେ ୭ ଲକ୍ଷ ଭୂମିହୀନ ଚାଷୀ ଋଣ ପାଇବେ। ଗୋଟିଏ ପାଞ୍ଚଜଣିଆ ଗୋଷ୍ଠୀକୁ ଅତି ବେଶିରେ ୧ ଲକ୍ଷ ୬୦ ହଜାର ଟଙ୍କା ଋଣ ଦିଆଯିବ। ଏହି ଋଣର ସୁଧହାର ପ୍ରଚଳିତ ସୁଧହାର ହେବ ଏବଂ ରାଜ୍ୟ ସରକାର ମଧ୍ୟ ପ୍ରଚଳିତ ହାରରେ ସୁଧର ରିହାତି ଦେବେ।
ଏଠି ପ୍ରଶ୍ନ ଉଠୁଛି ଏହି ୫ ଜଣିଆ ଗୋଷ୍ଠୀ ଋଣ ନେଇ କରିବେ କ’ଣ? ପୂର୍ବରୁ ମଧ୍ୟ ଭୂମିହୀନମାନେ ବ୍ୟାଙ୍କରୁ ଋଣ ନେଇ ପାରୁଥିଲେ ଭୂମି ସହିତ ସଂପୃକ୍ତ ନ ଥିବା କୃଷି ଆନୁଷଙ୍ଗିକ ଉଦ୍ୟୋଗ କରିବାକୁ। ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ବିନା ବନ୍ଧକରେ ନେବାର ବ୍ୟବସ୍ଥା ରିଜର୍ଭ ବ୍ୟାଙ୍କ ଓ ନାବାର୍ଡ କରିଛନ୍ତି। କିନ୍ତୁ ଫସଲ ଚାଷ କରିବାକୁ ଭୂମିହୀନ ଭାଗଚାଷୀମାନେ ଋଣ ନେଇପାରୁ ନ ଥିଲେ। ତା’ର କାରଣ ଫସଲ ଉତ୍ପାଦନ ପାଇଁ ଋଣ ନେଲେ ଯେଉଁ ଜମିରେ ଚାଷ କରିବେ ସେ ଜମିର ଖାତା ନମ୍ବର ଓ ପ୍ଲଟ୍‌ ନମ୍ବର ଋଣ ଦରଖାସ୍ତରେ ଲେଖିବାକୁ ପଡ଼ିବ। ଯେହେତୁ ସେମାନେ ଜମିର ମାଲିକ ନୁହନ୍ତି ତେଣୁ ସେମାନେ ଜମି ମାଲିକଙ୍କ ଜମିର ଖାତା ନମ୍ବର ପ୍ଲଟ୍‌ ନମ୍ବର ପକାଇ ପାରିବେ ନାହିଁ। ପକାଇ ପାରିବେ ଯଦି ଭାଗ ଚାଷ କରିବା ପାଇଁ ଜମି ମାଲିକ ଓ ଭାଗଚାଷୀଙ୍କ ମଧ୍ୟରେ କିଛି ଲିଖିତ ବୁଝାମଣା ହୋଇଥିବ। କିନ୍ତୁ ଆମ ରାଜ୍ୟର ଭୂସଂସ୍କାର ଆଇନ ଯୋଗୁ କୌଣସି ଜମି ମାଲିକ ତା’ ଜମିକୁ ଭାଗରେ ଚାଷ କରିବାକୁ ଦେଇ ପାରିବ ନାହିଁ ନା କେହି ଅନ୍ୟ ଜମି ଭାଗରେ ଚାଷ କରି ପାରିବ ନାହିଁ। ଏହା ଆଇନସମ୍ମତ ନୁହେଁ। ତେଣୁ ଓଡ଼ିଶାରେ ଭୂମିହୀନମାନେ ଭାଗରେ ଚାଷ କରୁଛନ୍ତି ମୌଖିକ ବୁଝାମଣା ମାଧ୍ୟମରେ। କୌଣସି ଲିଖିତ ବୁଝାମଣା ନାହିଁ। ତେଣୁ ସେମାନେ ଭାଗଚାଷ କରୁଥିଲେ ବି ବ୍ୟାଙ୍କରୁ ଫସଲ ଉତ୍ପାଦନ ପାଇଁ ଋଣ ଆଣିପାରନ୍ତି ନାହିଁ କି ଫସଲବୀମା କରିପାରନ୍ତି ନାହିଁ। ମଣ୍ଡିରେ ସେମାନଙ୍କର ଶସ୍ୟ ସର୍ବନିମ୍ନ ସହାୟକ ମୂଲ୍ୟରେ ବିକ୍ରି କରିପାରନ୍ତି ନାହିଁ କି ପ୍ରାକୃତିକ ବିପର୍ଯ୍ୟୟରେ ଫସଲ ନଷ୍ଟ ହେଲେ କ୍ଷତିପୂରଣ ପାଆନ୍ତି ନାହିଁ। ଏଥିପାଇଁ ଭାଗଚାଷୀ ଆଣିଥିବା ଋଣ ଜମିରେ ନିବେଶ କରି ଅଧିକ ଉତ୍ପାଦନ କରିବା ସେମାନଙ୍କ ପକ୍ଷରେ ସମ୍ଭବ ହୁଏ ନାହିଁ। ମୌଖିକ ଭାବରେ ବୁଝାମଣା କରି ଭାଗଚାଷୀଟି ବେଳେବେଳେ ସାର, ପିଡ଼ିଆ ବାବଦକୁ କିଛି ଆର୍ଥିକ ସାହାଯ୍ୟ ଆଣେ ବା କିଏ ଆଣେ ନାହିଁ। ଫସଲ ଅମଳ ପରେ ବୁଝାମଣା ଅନୁଯାୟୀ ଉତ୍ପାଦିତ ଫସଲର କେଉଁ ଜମି ମାଲିକ ୫୦ ଭାଗ ଫସଲ ନିଏ ଅବା କିଏ ୩୩ ଭାଗ ଫସଲ ନିଏ। ଏହାଫଳରେ ଭାଗଚାଷୀର ବିଶେଷ କିଛି ଲାଭ ହୁଏ ନାହିଁ। କେବଳ ଯାହା ତା’ର ପରିଶ୍ରମର ମୂଲ୍ୟ ପାଏ। ଫସଲ ନଷ୍ଟ ହେଲେ ସମସ୍ତ ସରକାରୀ ସୁବିଧା ଜମି ମାଲିକ ପାଏ। ଏବେ ଯଦି ଫସଲ ପାଇଁ ଋଣ ମିଳିବ ତେବେ ଅଧିକ ଉତ୍ପାଦନ ପାଇଁ ଅଧିକ ନିବେଶ କରି ଭାଗଚାଷୀ ଯେଉଁ ଅଧିକ ଅମଳ କରିବ, ସେଥିରୁ କ’ଣ ୫୦ ଭାଗ ଅବା ୩୩ ଭାଗ ଫସଲ ଜମି ମାଲିକକୁ ଦେବ? ଏହା କଲେ ତା’ର ଲାଭ ରହିବ କେଉଁଠି? ସେ କ’ଣ ଋଣ ପରିଶୋଧ କରିପାରିବ? ଏହି ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ ଭାଗଚାଷୀ ଜମି ମାଲିକକୁ କେତେ ଦେୟ ଦେବ, ଟଙ୍କା ଆକାରରେ କି ଫସଲ ଆକାରରେ, ତାହା ସରକାର ସ୍ଥିର କରିବେ କି? ବର୍ତ୍ତମାନ ଭୂମିହୀନ ଭାଗଚାଷୀ ଋଣ ଆଣି ଫସଲ କଲେ ଫସଲବୀମା ପାଇବ କି? ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ପଞ୍ଜୀକରଣ କରିପାରିବ କି? ପ୍ରାକୃତିକ ବିପର୍ଯ୍ୟୟରେ ଫସଲ ନଷ୍ଟ ହେଲେ ଭାଗଚାଷୀ ସରକାରୀ କ୍ଷତିପୂରଣ ପାଇପାରିବ କି? ଏସବୁର ବ୍ୟବସ୍ଥା ନ ହେଲେ ଋଣ ଆଣି ସେ ଋଣର ସଦ୍‌ବ୍ୟବହାର ଚାଷରେ ନ କରି ଅନ୍ୟତ୍ର କରିବ, ଯାହାଫଳରେ ସେ ଋଣ ପରିଶୋଧ କରିବା କଷ୍ଟକର ହେବ। ଏଣେ ବ୍ୟାଙ୍କର ଅଚଳ ସମ୍ପତ୍ତି ବା ଏନ୍‌ପିଏ ବୃଦ୍ଧି ପାଇବ। ବ୍ୟାଙ୍କ ଶାଖାମାନେ ଏନ୍‌ପିଏ ନ ବଢ଼ାଇବା ପାଇଁ ଋଣ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରି ଋଣ ଦେବାର ଲକ୍ଷ୍ୟ ହାସଲ କରିବେ ନାହିଁ। ସରକାର ଯେପର୍ଯ୍ୟନ୍ତ ନୀତି ଆୟୋଗର ହକ୍‌ କମିଟି ସୁପାରିସ ଅନୁସାରେ ଭାଗଚାଷ ଆଇନ ପ୍ରଣୟନ କରିନାହାନ୍ତି, ସେ ପର୍ଯ୍ୟନ୍ତ ଭାଗଚାଷୀ ନ୍ୟାୟ ପାଇପାରିବ ନାହିଁ। ସେ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ହେବ। ଭାଗଚାଷ ଆଇନରେ ନୀତି ଆୟୋଗ ସୁପାରିସ କରିଛି, କସ୍ମିନ୍‌କାଳେ ଭାଗଚାଷୀ ଜମି ମାଲିକଠାରୁ ଜମିର ଅଧିକାର ଛଡ଼ାଇ ନେଇ ପାରିବ ନାହିଁ। ତଥାପି ରାଜ୍ୟ ସରକାର ଦୁଇ ତିନିବର୍ଷ ହେଲା ଚିଠା ଆଇନ କରି ବି ବିଧାନସଭାରେ ସେ ବିଲ୍‌କୁ ଉପସ୍ଥାପନ କରୁନାହାନ୍ତି।
ଯେତେବେଳ ପର୍ଯ୍ୟନ୍ତ ଭାଗଚାଷୀ ଭାଗଚାଷ କରୁଛି ବୋଲି ଜମି ମାଲିକ ସହିତ ବୁଝାମଣାପତ୍ର ହାସଲ ନ କରିବ, ସେ ପର୍ଯ୍ୟନ୍ତ ଯେତେ ଯାହା ଋଣ ଦେଲେ ବି ଭାଗଚାଷୀ ଋଣର ପ୍ରକୃତ ଉପଯୋଗ କରିବ ନାହିଁ। ତା’ର ଉତ୍ପାଦନ ବୃଦ୍ଧି ପାଇବ ନାହିଁ କି ଆୟ ବଢ଼ିବ ନାହିଁ।
ଏ୫୦୨, ମୋତିବ୍ଲକ୍‌, ତୋଷାଳୀ ଆପାର୍ଟମେଣ୍ଟ, ସତ୍ୟନଗର, ଭୁବନେଶ୍ୱର,
ମୋ: ୯୯୩୭୯୫୧୨୬୨