ବାଲେଶ୍ୱର ରେମୁଣା ବିଧାୟକ କରୋନା ପଜିଟିଭ୍‌

ବାଲେଶ୍ୱର ଅଫିସ, ୧୪।୭-ବାଲେଶ୍ୱରର ଆଉ ଜଣେ ବିଧାୟକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପ୍ରଥମେ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ପରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଓ ଏବେ ରେମୁଣା ନିର୍ବାଚନମଣ୍ଡଳୀର ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଜିଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଫୋନ ଯୋଗେ ବିଧାୟକ ପରିଡ଼ାଙ୍କୁ ଜଣାଯିବା ପରେ ସେ ନିଜେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଗତ ୧୧ ତାରିଖରେ ତାଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇଥିଲା। ପରୀକ୍ଷା ପରେ ମଙ୍ଗଳବାର ପୂର୍ବାହ୍ନରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଜିଲାରେ ଦ୍ୱିତୀୟ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଜନସାଧାରଣ ଆତଙ୍କିତ ହୋଇପଡ଼ିଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଧାୟକ ପରିଡ଼ାଙ୍କୁ କୋଭିଡ୍‌-୧୯ ହସ୍‌ପିଟାଲକୁ ଅଣାଯାଇ ଚିକିତ୍ସା କରାଯିବାର ବ୍ୟବସ୍ଥା କରାଯାଉଛି। ଗତ ୬ତାରିଖରେ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ତାଙ୍କୁ କୋଭିଡ୍‌ ହସ୍ପଟାଲକୁ ନିଆଯାଇ ଚିକିତ୍ସା କରାଯାଉଥିଲା। ସୋମବାର ରିପୋର୍ଟ ନେଗେଟିଭ୍‌ ଆସିବାରୁ ତାଙ୍କୁ ଘରକୁ ପଠାଇ ଦିଆଯାଇଛି। ସେ ୭ଦିନ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷରେ ରେମୁଣା ବିଧାୟକଙ୍କ ବ୍ୟତୀତ ବାଲେଶ୍ୱର ଜିଲାରୁ ମଙ୍ଗଳବାର ଆଉ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତେ ପୂର୍ବ ଆକ୍ରାନ୍ତଙ୍କ ସମ୍ପର୍କୀୟ ତଥା ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌ ବାଲେଶ୍ୱର ସୂଚନା ଦେଇଛନ୍ତି। ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫୫୪ ଛୁଇଁଥିବା ବେଳେ ସେମାନଙ୍କ ମଧ୍ୟରୁ ୩୯୫ ସୁସ୍ଥ ହୋଇ ଫେରିଛନ୍ତି।

Share