ବାଲେଶ୍ୱର ସଦର, ତିର୍ତ୍ତୋଲ ଉପନିର୍ବାଚନ: ଅପରାଧ ପୃଷ୍ଠଭୂମିର ତଥ୍ୟ ଦେବେ ପ୍ରାର୍ଥୀ

ଭୁବନେଶ୍ୱର,୧୭ା୯(ବ୍ୟୁରୋ): ବାଲେଶ୍ୱର ସଦର ଏବଂ ଜଗତସିଂହପୁର ଜିଲାର ତିର୍ତ୍ତୋଲରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ପ୍ରାର୍ଥୀଙ୍କ ଆପରାଧିକ ପୃଷ୍ଠଭୂମି ସମ୍ପର୍କରେ ସବିଶେଷ ତଥ୍ୟ ଦେବେ। ଉଭୟ ଛାପା ଏବଂ ବୈଦ୍ୟୁତିକ ଗଣମାଧ୍ୟମରେ ୩ ପର୍ଯ୍ୟାୟରେ ଏ ସମ୍ପର୍କରେ ତଥ୍ୟ ପ୍ରକାଶିତ ହେବ। ନିର୍ବାଚନ କମିଶନଙ୍କ ପରିବର୍ତ୍ତିତ ନିର୍ଦ୍ଦେଶନାମା ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି। ନିର୍ଦ୍ଦେଶ ଅନୁଯାୟୀ, ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲର ପ୍ରଥମ ୪ଦିନ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଆପରାଧିକ ପୃଷ୍ଠଭୂମି ସମ୍ପର୍କରେ ତଥ୍ୟ ଦେବେ। ଦ୍ୱିତୀୟ ପର୍ଯ୍ୟାୟରେ ନାମାଙ୍କନପତ୍ର ପ୍ରତ୍ୟାହାରର ପଞ୍ଚମରୁ ଅଷ୍ଟମ ଦିନ ମଧ୍ୟରେ ଏବଂ ତୃତୀୟ ପର୍ଯ୍ୟାୟରେ ନାମାଙ୍କନପତ୍ର ପ୍ରତ୍ୟାହାରର ନବମ ଦିନଠାରୁ ନିର୍ବାଚନ ପ୍ରଚାରର ଶେଷଦିନ ମଧ୍ୟରେ ଅର୍ଥାତ୍‌ ଭୋଟ ଗ୍ରହଣର ଦୁଇଦିନ ପୂର୍ବରୁ ଏହା କରାଯିବା ବାଧ୍ୟତାମୂଳକ। ଅପ୍ରତିଦ୍ବନ୍ଦ୍ୱୀ ପ୍ରାର୍ଥୀଙ୍କ କ୍ଷେତ୍ରରେ ମଧ୍ୟ ଏହା ଲାଗୁହେବ ବୋଲି ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଛି।

Share