ଆସନ୍ତାକାଲି ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ: ମତଦାନ ସାବ୍ୟସ୍ତ କରିବେ ୪ ଲକ୍ଷ ୬୭ ହଜାର ୫୭୮ ଭୋଟର

ଭୁବନେଶ୍ୱର,୨ା୧୧(ବ୍ୟୁରୋ)-ତିର୍ତ୍ତୋଲ ଏବଂ ବାଲେଶ୍ୱର ବିଧାନସଭା ଉପ ନିର୍ବାଚନ ପାଇଁ ମଙ୍ଗଳବାର ଭୋଟ ଗ୍ରହଣ କରାଯିବ। ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ମୋଟ ୨ ଲକ୍ଷ ୩୭ ହଜାର ୨୮୨ ଜଣ ଓ ବାଲେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀରେ ସମୁଦାୟ ୨ ଲକ୍ଷ ୩୦ ହଜାର ୨୯୬ ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ। ପ୍ରତି ବୁଥ୍‌ରେ ଭୋଟ ସଂଖ୍ୟା ୧୫୦୦ ପରିବର୍ତ୍ତେ ୧ ହଜାର କରାଯାଇଥିବାବେଳେ ଭୋଟରଙ୍କ ସୁବିଧା ପାଇଁ ସେହି ସ୍ଥାନରେ ଅତିରିକ୍ତ ବୁଥ୍‌ ଖୋଲାଯାଇ ବୁଥ୍‌ ସଂଖ୍ୟା ବୃଦ୍ଧି କରାଯାଇଛି। ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଥ୍‌ ସଂଖ୍ୟା ୨୬୫ରୁ ୩୭୩ ଓ ବାଲେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀରେ ୧୯୮ରୁ ୩୪୬କୁ ବୁଥ୍‌ ସଂଖ୍ୟା ବୃଦ୍ଧି କରାଯାଇଛି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଉଭୟ ନିର୍ବାଚନ ମଣ୍ଡଳୀରେ ଭୋଟଗ୍ରହଣ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି।

Share