ଜବରଦଖଲରେ ବଳଦେବଜୀଉଙ୍କ ସମ୍ପତ୍ତି

କେନ୍ଦୁଝର, ୮।୧୧(ଡି.ଏନ.ଏ.) କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ କୋଟି କୋଟି ଟଙ୍କା ମୂଲ୍ୟର ମୂଲ୍ୟବାନ ଜମି ଜବରଦଖଲ ଥିଲେ ବି ଦେବୋତ୍ତର ବିଭାଗ ନିଜ ଖାତାକୁ ଆଣିବା ଦିଗରେ ଯେମିତ ଉଦ୍ୟମ କରିବା କଥା ତାହା କରୁନାହିଁ ବୋଲି ଅଭିଯୋଗ ହୋଇଛି। ୧୬୭୩ ମସିହାରେ ନିର୍ମିତ ବଳଦେବଜୀଉଙ୍କ ମନ୍ଦିର ତିଆରି ହେବା ଦିନଠାରୁ ତତ୍କାଳୀନ ରାଜାଙ୍କ ଦ୍ୱାରା ତାଙ୍କ ନାମରେ ହଜାର ହଜାର ଏକର ସମ୍ପତ୍ତି କରାଯାଇଥିଲା। ସମୟ କ୍ରମେ ରାଜାଙ୍କର ଶାସନ ସରିବା ପରେ ବଳଦେବଜୀଉଙ୍କ ସମ୍ପତ୍ତି ମଧ୍ୟ ଧୀରେ ଧୀରେ ବିଭିନ୍ନ ଅଞ୍ଚଳରେ ଜବରଦଖଲ ହେବାକୁ ଲାଗିଲା। ପରିସ୍ଥିତି ଏପରି ହୋଇଛି ଯେ ବଳଦେବଜୀଉ ଠାକୁରଙ୍କର ସମ୍ପତ୍ତି ଖୋଜିଲେ ମିଳୁନି। କିଏ କେଉଁଠି ଭାଗ ଦଖଲ କରିଛି ତ କିଏ ଜବର ଦଖଲ କରି ଘର, ବାଡି, ବଗିଚା କଲେଣି। ଏପରିକି କିଛି ଜମିକୁ ନକଲି ପଟ୍ଟା ବାହାର କରି ବିକ୍ରି ମଧ୍ୟ କରି ସାରିଲେଣି।
ଦେବୋତ୍ତର ବିଭାଗର ଅପାରଗଦା ଉଦ୍ଦାସୀନତା ମନୋଭାବ ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି। ତେବେ ପ୍ରଥମ ପର୍ଯ୍ୟାୟରେ ଦେବୋତ୍ତର ବିଭାଗ ପକ୍ଷରୁ ସଦର ତହସିଲର କବିତ୍ରାରେ ୨୮୧.୬୦୦ଏକର ମଧ୍ୟରୁ ୨୫୦ଏକର ଜମି ଚିହ୍ନଟ ହୋଇଥିବା ବେଳେ ସିଦ୍ଧମଠ ପାଖରେ ୩୯ଏକର ଜମି ଚିହ୍ନଟ ହୋଇ ତାର ବାଡ ଦିଆଯାଇଛି ବୋଲି ଦେବୋତ୍ତର ଅଫିସର ତଥା ସଦର ଉପ-ଜିଲାପାଳ ରାମଚନ୍ଦ୍ର କିସ୍କୁ ପ୍ରକାଶ କରିଛନ୍ତି। ସାତସିଙ୍ଗା ମୌଜାରେ ପାଖାପାଖି ୭ଏକର ଜମି ଚିହ୍ନଟ ହୋଇଥିଲେ ମଧ୍ୟ ତାହା ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଦେବୋତ୍ତର ବିଭାଗ ପକ୍ଷରୁ ୧୧୪ଜଣ ଜବରଦଖଲକାରୀଙ୍କୁ ନୋଟିସ୍‌ ଦିଆଯିବା ସତ୍ତ୍ୱେ ସେମାନେ ତାହା ଶୁଣୁ ନଥିବା ଅଭିଯୋଗ ହୋଇଛି।
ଏଥିନେଇ ଦେବୋତ୍ତର ବିଭାଗ ପକ୍ଷରୁ ଦେବୋତ୍ତର କମିଶନଙ୍କ ନିକଟରେ ଏକ ମାମଲା ରୁଜୁ ହୋଇଛିv