ବାଲିଯାତ୍ରା: ସମ୍ପୂର୍ଣ୍ଣ ଆୟବ୍ୟୟର ଅଡିଟ୍‌ ହେଉ

କଟକ ଅଫିସ,୧୯ା୧୧: ଐତିହାସିକ କଟକ ବାଲିଯାତ୍ରା ଗୁରୁବାର ଶେଷ ହୋଇଛି। ବାଲିଯାତ୍ରାରେ ଜିଲା ପ୍ରଶାସନ ମନମୁଖି କାର୍ଯ୍ୟକ୍ରମ କରିଥିବା ନେଇ ସ୍ଥାନୀୟ ସର୍କିଟ୍‌ ହାଉସ୍‌ଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ କଟକ ମହାନଗର ପୂଜା କମିଟି ଓ ଶାନ୍ତି କମିଟି ପକ୍ଷରୁ ଅଭିଯୋଗ ହୋଇଛି। ଏହି ସମ୍ମିଳନୀରେ ମହାନଗର ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ କହିଛନ୍ତି, ଚଳିତବର୍ଷ ବାଲିଯାତ୍ରା ୮ ଦିନ ପରିବର୍ତ୍ତେ ୯ ଦିନ ଓ ପରେ ଆଉ ଗୋଟିଏ ଦିନ ବଢାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅନ୍ୟ କାର୍ଯ୍ୟ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି, ଷ୍ଟଲ ଓ ଅନ୍ୟ ଉପାୟରୁ କେତେ ଆୟ ହୋଇଛି, କେତେ ଟଙ୍କାର କାରବାର ହୋଇଛି ତାହା ସର୍ବ ସମ୍ମୁଖକୁ ଆସିବା ଆବଶ୍ୟକ ା କଟକ ଜିଲାର କେତେଜଣ ପ୍ରଶାସନିକ ଅଧିକାରୀ ମନମୁଖି କାର୍ଯ୍ୟ ଚଳାଇଛନ୍ତି। ତେଣୁ ସମ୍ପୂର୍ଣ୍ଣ ଆୟବ୍ୟୟର ସ୍ପେଶାଲ ଅଡିଟ୍‌ କରାଯିବା ଆବଶ୍ୟକ। ଅଡିଟ୍‌ ହେଲେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ସେ କହିଛନ୍ତି। ଏହାସହ ବାଲିଯାତ୍ରା ପାଇଁ ଅତିଥି ଚୟନ, ନିମନ୍ତ୍ରଣ ପତ୍ର ବଣ୍ଟନରେ ବିଭ୍ରାଟ, ପଥ ଉତ୍ସବରେ ରାଜନୀତୀକରଣ, ଅଶ୍ଳୀଳ ସଙ୍ଗୀତ ପରିବେଷଣ ଯାହା ରାଜ୍ୟବାସୀଙ୍କୁ ଶକ୍ତ ଆଘାତ ଦେଇଥିବା ଅଭିଯୋଗ ହୋଇଛି ା ଏହାଛଡ଼ା ଉତ୍କଳ ଗୌରବ ମଧୁସୂଦନ ଦାସ ନଁାରେ ମଧୁମଞ୍ଚ କରିବା ପାଇଁ ବାଲିଯାତ୍ରାରେ ଜାଗା ନ ମିଳିବା ସମ୍ବେଦନଶୀଳ ପ୍ରସଙ୍ଗ ହୋଇଛି। ବାଲିଯାତ୍ରାକୁ ଜାତୀୟ ସ୍ତରୀୟ ମାନ୍ୟତା ଦେବା ଲାଗି ପ୍ରୟାସ ଜାରି ରହିଛି ା ହେଲେ ଇତି ମଧ୍ୟରେ ଏପରି ବିଭ୍ରାଟ କେବେ ବି ଗ୍ରହଣୀୟ ନୁହେଁ। ତେଣୁ ବାଲିଯାତ୍ରା ପରିଚାଳନା ଦାୟିତ୍ୱ ଓ ନିଷ୍ପତ୍ତି ନେବାର ଅଧିକାର ରାଜ୍ୟ ସରକାର ପ୍ରତ୍ୟକ୍ଷ ଭାବେ ନିଅନ୍ତୁ ବୋଲି ମହାନଗର ପୂଜା କମିଟି ଓ ଶାନ୍ତି କମିଟି ପକ୍ଷରୁ ଦାବି ହୋଇଛି। ଏହି ସମ୍ମିଳନୀରେ ମହାନଗର ଶାନ୍ତି କମିଟି ସାଧାରଣ ସମ୍ପାଦକ ଭିକାରି ଦାସ, ସଭାପତି ଦେବେନ୍ଦ୍ର ସାହୁ, ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ବିଜୟ ସାହୁ ଓ ସମ୍ପାଦକ ପ୍ରଫୁଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ା
ଏ ସମ୍ପର୍କରେ ଜିଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି, ବାଲିଯାତ୍ରାର ସଫଳ ଆୟୋଜନ ହୋଇଛି। ଆର୍ଥିକ ହେର୍‌ଫେର୍‌ ସମ୍ପର୍କରେ ଅଭିଯୋଗ ଆସିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅଡିଟ୍‌ ହେଲେ ମୁଁ ସ୍ବାଗତ କରିବି। ଏ ନେଇ ସବୁ ରେକର୍ଡ ଅଛି ବୋଲି ସେ କହିଛନ୍ତି। ସେହିପରି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି, ଏବର୍ଷ ବାଲିଯାତ୍ରା ସଫଳ ହୋଇଛି। ରାଜ୍ୟ ସରକାର ଯଦି ଅର୍ଥ ଯୋଗାଇ ନ ଥାନ୍ତେ, ତେବେ କେହି କୌଣସି ପ୍ରକାରର ଶ୍ରେୟ ନେଇ ପାରି ନଥାନ୍ତେ। ବାଲିଯାତ୍ରାର ସଫଳତାର ଶ୍ରେୟ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେବା କଥା ବୋଲି ସେ କହିଛନ୍ତି।

Share