୩୪ ଏକର ଜାଗାରେ ହେବ ବାଲିଯାତ୍ରା

କଟକ ଅଫିସ,୨୪ା୯: କଟକ ବାଲିଯାତ୍ରା ପଡ଼ିଆକୁ ଲାଗି ପୋତା ଯାଇଥିବା ମହାନଦୀ ଶଯ୍ୟାରେ ବାଲିଯାତ୍ରା ଅଞ୍ଚଳର ସମ୍ପ୍ରସାରଣ ପାଇଁ ହୋଇଥିବା ଆବେଦନ ଉପରେ ରୋକ୍‌ ଲଗାଇଛନ୍ତି ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)। ଜିଲା ପ୍ରଶାସନ ପକ୍ଷରୁ ୮୫ ଏକର ଜମିରେ ବାଲିଯାତ୍ରା କରାଯିବାକୁ ଅନୁମତି ମଗାଯାଇଥିବାବେଳେ କେବଳ ୩୪ ଏକର ଜାଗାରେ ବାଲିଯାତ୍ରା କରାଯିବାକୁ ଏନ୍‌ଜିଟି ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ନୈରାଶ୍ୟଭାବ ସୃଷ୍ଟି ହୋଇଥିବାବେଳେ ଜିଲା ପ୍ରଶାସନ ବି ଦ୍ୱନ୍ଦ୍ୱରେ ପଡିଯାଇଛି।
ଏନ୍‌ଜିଟି ତାଙ୍କ ରାୟରେ ଦର୍ଶାଇଛନ୍ତି, ୩୪ ଏକର ଜାଗାରେ ବାଲିଯାତ୍ରା ହେବ। ବାଲିଯାତ୍ରା ଆୟୋଜନବେଳେ ସ୍ବଚ୍ଛତା ଅବଲମ୍ବନ, ପରିମଳ ବ୍ୟବସ୍ଥା ଏବଂ ସ୍ବାସ୍ଥ୍ୟରକ୍ଷା ଦିଗରେ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବ। ପଡ଼ିଆରେ କୌଣସି ସ୍ଥାୟୀ ବା ଅସ୍ଥାୟୀ ନିର୍ମାଣ ହେବ ନାହିଁ। ମହାନଦୀ ପଠା ପୋତାଯିବା ପରେ ସୃଷ୍ଟି ହୋଇଥିବା ମୋଟ୍‌ ୪୨୬ ଏକର ଜମିରେ କୌଣସି କଂକ୍ରିଟ ନିର୍ମାଣ ହେବ ନାହିଁ । ଏହାର ଦୁଇ ତୃତୀୟାଂଶ ଜମିରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରାଯିବା ସହ ଏକ ତୃତୀୟାଂଶ ଜମିରେ ପାର୍କ, ଖେଳପଡ଼ିଆ କରାଯାଇପାରିବ। ଏଠାରେ କୌଣସି ବ୍ୟବସାୟିକ କାର୍ଯ୍ୟକୁ ଅନୁମତି ଦିଆଯିବ ନାହିଁ ବୋଲି ଏନ୍‌ଜିଟି ରାୟରେ ସ୍ପଷ୍ଟ କରିଛନ୍ତି। ନଦୀପଠା ପୋତାଯିବା ଫଳରେ ଉପରମୁଣ୍ଡରେ ଥିବା ୩୮ଟି ଗ୍ରାମକୁ ବନ୍ୟା ବିପଦ ରହିଥିବା କାରଣରୁ ସରକାର ଏ ଦିଗରେ ଆଶୁ ପଦକ୍ଷେପ ନେବେ। ପୋତା ଯାଇଥିବା ୪୨୬ ଏକର ଜାଗାରୁ ବାଲି କାଢ଼ି ପୂର୍ବ ଅବସ୍ଥାକୁ ଫେରାଇ ଆଣିବାକୁ ଏନ୍‌ଜିଟିଙ୍କ ୭ ଜଣିଆ କମିଟି ଦେଇଥିବା ରିପୋର୍ଟ ଉପରେ ଆଡ୍‌ଭୋକେଟ ଜେନେରାଲ ଅଶୋକ ପରିଜା ଏହା ସମ୍ଭବ ନୁହେଁ ବୋଲି ମତ ରଖିଥିଲେ। ଫଳରେ ଏନ୍‌ଜିଟି ଏଥିରେ ଏକମତ ହୋଇଥିଲେ। ହେଲେ ସମ୍ପୃକ୍ତ ଅଞ୍ଚଳ ବନ୍ୟାଞ୍ଚଳ ଜୋନ୍‌ରେ ଆସୁଥିବାରୁ ସରକାର କରିବାକୁ ଥିବା ନିର୍ମାଣ ସମ୍ପର୍କିତ ମାଷ୍ଟର ପ୍ଲାନ ଗ୍ରହଣୀୟ ନୁହେଁ ବୋଲି ଏନ୍‌ଜିଟି କହିଥିଲେ।

Share