ଲକ୍ଷ୍ନୌ, ୧୮।୧୦: ଉତ୍ତରପ୍ରଦେଶ ବଲିଆରେ ଘଟିଥିବା ଗୁଳିକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଧିରେନ୍ଦ୍ର ପ୍ରତାପ ସିଂଙ୍କୁ ୩ ଦିନ ପରେ ଏସ୍ଟିଏଫ୍ ଟିମ୍ ଗିରଫ କରିବାକୁ ସକ୍ଷମ ହୋଇଛନ୍ତି। ଜନେଶ୍ୱର ମିଶ୍ର ପାର୍କ ଅଞ୍ଚଳରୁ ଧିରେନ୍ଦ୍ରଙ୍କୁ ରବିବାର ଭୋର୍ ସମୟରେ ଗିରଫ କରାଯାଇଛି। ତାଙ୍କୁ ଖୋଜିବା ପାଇଁ ୧୦ ପୋଲିସ ଟିମ୍ଙ୍କୁ ମୁତୟନ କରାଯାଇଥିଲା। ଏହା ସହିତ ପୋଲିସ ବିଭାଗ ପକ୍ଷରୁ ଧିରେନ୍ଦ୍ରଙ୍କ ଲାଗି ୫୦ ହଜାର ଟଙ୍କାର ନଗଦ ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା। ଏହି ମାମଲାରେ ଧିରେନ୍ଦ୍ରଙ୍କ ସମେତ ଅନ୍ୟ ଦୁଇ ଅଭିଯୁକ୍ତ ସନ୍ତୋଷ ଯାଦବ ଏବଂ ଅମରଜିତ୍ ଯାଦବଙ୍କୁ ମଧ୍ୟ ଗିରଫ କରାଯାଇଛି। ରାଷ୍ଟ୍ରୀୟ ସୁରକ୍ଷା ଆଇନ୍(ଏନ୍ଏସ୍ଏ) ଅନ୍ତର୍ଗତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।