ବାଲିଗୁଡ଼ା ଦଣ୍ଡଯାତ୍ରା ଚୂଡ଼ାନ୍ତ: ଆକର୍ଷିତ କରିବ ତେରଦଣ୍ଡ ମହାମିଳନ

ବାଲିଗୁଡ଼ା,୨୭।୩(ଡି.ଏନ୍‌.ଏ): କନ୍ଧମାଳ ଜିଲା ବାଲିଗୁଡ଼ାରେ ମାର୍ଚ୍ଚ ୩୧ରୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ମା’ କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡ଼ା ସହରରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୬ବର୍ଷ ପୂର୍ତ୍ତି ପାଳନ କରାଯିବ। ଏହି ଅବସରରେ ୩୪ତମ ବାର୍ଷିକ ତେରଦଣ୍ଡ ମିଳନ ସମାରୋହ ଏପ୍ରିଲ ୯ ତାରିଖରେ ଅନୁଷ୍ଠିତ ହେବ। ଏ ନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ଅନ୍ୟପକ୍ଷେ ବାଲିଗୁଡ଼ା ଅଞ୍ଚଳବାସୀଙ୍କୁ ସମିତି ପକ୍ଷରୁ ଅନୁରୋଧ କରାଯାଇଛି, ମାର୍ଚ୍ଚ ୩୧ରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଆମିଷ ବିକ୍ରି ଏବଂ ସେବନ ବନ୍ଦ କରି ଦଣ୍ଡଯାତ୍ରାକୁ ସହଯୋଗ କରିବାକୁ କୁହାଯାଇଛି। ଏପରିକି ସମିତି ପକ୍ଷରୁ ତେରଦଣ୍ଡ ମିଳନର କାର୍ଯ୍ୟସୂଚୀ ପ୍ରକାଶ କରାଯାଇଛି। ୯ ତାରିଖ ରବିବାର ସକାଳ ୮ଟାରେ ମା’ ପାଟଖଣ୍ଡା ମନ୍ଦିରରେ ତେରଦଣ୍ଡ ଥଳଙ୍କୁ ବରଣ କରାଯିବ। ପୂର୍ବାହ୍ନ ସାଢେ ୧୧ଟାରେ ଟାଉନର ମୁଖ୍ୟ ରାସ୍ତାରେ ଧୂଳିଦଣ୍ଡ, ଅପରାହ୍ନ ସାଢେ ୪ଟାରେ ବନ୍ଧପାଖରେ ପାଣିଦଣ୍ଡ ଏବଂ ସା ୫ଟାରେ ବିଶେଷ ଆକର୍ଷଣ ବଜାର ଛକରେ ତେରଦଣ୍ଡର ମହାମିଳନ ଆୟୋଜନ କରାଯିବ। ରାତି ୧୧ଟାରେ ଝୁଣାଦଣ୍ଡ ପଟୁଆର ସହ ୧୦ ତାରିଖ ସୋମବାର ସକାଳ ୮ଟାରେ ଯାତ୍ରା ସମାପନ ହେବ। ଏନେଇ ସମସ୍ତ ଅଞ୍ଚଳବାସୀ କାର୍ଯ୍ୟକ୍ରମରେ ଯୋଗକରିବାକୁ ସମିତି ପକ୍ଷରୁ କୁହାଯାଇଛି।