ବାଳୀ ଜଣେ ସାଧାରଣ ଯୁବକ। ଅନ୍ୟମାନଙ୍କ ଦୁଃଖ ସୁଖରେ ଠିଆହୁଏ। ଏକ ବସ୍ତିରେ ରହୁଥିବା ଲୋକଙ୍କ ପାଇଁ ସେ ଢାଲ ସଦୃଶ ଛିଡ଼ା ହୋଇଛି। ଆଉ ସେତିକି ବେଳେ ଜଣେ ସୁନ୍ଦରୀ ସହ ତାହାର ଭେଟ ହେଉଛି। ଏପଟେ ପ୍ରେମ ଆଉ ସେପଟେ ନିଜର କର୍ତ୍ତବ୍ୟକୁ ବେଶ୍ ସମାନ୍ତରାଳ ଭାବରେ ଆଗେଇ ନେଇଛି। ହେଲେ ନିଜ ପ୍ରେମରେ ବାଳୀ ସଫଳ ହେଉଛି ତ ? ଏପରି କାହାଣୀକୁ ନେଇ ନିର୍ମିତ ‘ବାଳୀ-ଦ ସେଭିୟର’ ଖୁବ୍ ଶୀଘ୍ର ପରଦା ଉପରକୁ ଆସିବ। ଏହାର ଟାଇଟଲ ଭୂମିକାରେ ଅଭିନୟ କରିବା ସହ ପ୍ରଯୋଜନା କରିଛନ୍ତି ସୂର୍ଯ୍ୟକାନ୍ତ ସାମଲ ଏବଂ ତାଙ୍କର ନାୟିକା ସାଜିଛନ୍ତି ନବାଗତା ମାମା। ଏ ନେଇ ମାମା କହନ୍ତି, ‘ଏହି ଫିଲ୍ମରେ ମୁଁ ଜଣେ ଜର୍ନାଲିଷ୍ଟ ଭୂମିକାରେ ଅଭିନୟ କରିଛି। ଫିଲ୍ମର କାହାଣୀ ଅନୁସାରେ ମନ ପରି ମନଟିଏ ପାଇବା ପରେ ନିଜ ପ୍ରେମକୁ ସଫଳ କରିବାକୁ ଅଣ୍ଟା ଭିଡ଼ିଛି ବାଳୀ। ତା’ସହ ନିଜର ଆଉ ଏକ ଲକ୍ଷ୍ୟ ରହିଛି। ସେହି ଲକ୍ଷ୍ୟ କ’ଣ ଏବଂ ସେ କିପରି ନିଜ ପ୍ରେମକୁ ସଫଳ କରୁଛି ତାହା ଫିଲ୍ମ ଦେଖିଲେ ହିଁ ଜାଣିପାରିବେ।’ ଏହାର ନିର୍ଦ୍ଦେଶନା ଦେଇଛନ୍ତି କେ. ମୁରଲୀକ୍ରିଷ୍ଣା।