ପାଇଖାନା ଘରେ ଚାଲିଛି ମଧ୍ୟାହ୍ନଭୋଜନ ରୋଷେଇ

ନୂଆଗାଁ, ୪।୧୧ (ଧନେଶ୍ୱର ସାହୁ): ସରକାର ଲକ୍ଷାଧିକ ଟଙ୍କା ବ୍ୟୟ କରି ଶିକ୍ଷାନୁଷ୍ଠାନର ସମସ୍ୟା ଦୂର କରିବା ସହ ଛାତ୍ରୀଛାତ୍ରୀଙ୍କୁ ସ୍କୁଲ ପ୍ରତି ଆକୃଷ୍ଠ କରିବା ଉଦ୍ଦେଶ୍ୟରେ ବିକାଶ କରୁଥିବା କହୁଛନ୍ତି। କିନ୍ତୁ ସରକାରଙ୍କ ଶିକ୍ଷାନୁଷ୍ଠାନ ବିକାଶର ଚିତ୍ର ଦେଖିବାକୁ ମିଳିଛି ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସୋରଡା ପଞ୍ଚାୟତ ବାଲିସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ସ୍କୁଲରେ ଛାତ୍ରୀଛାତ୍ରମାନଙ୍କ ମଧ୍ୟାହ୍ନ ଭୋଜନ ରୋଷେଇ କରିବା ନିମନ୍ତେ ରୋଷେଇ ଘର ନ ଥିବାରୁ ପାଇଖାନା ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଥିବା ଗୃହରେ ରୋଷେଇ କରାଯାଉଥିବା ଅଭିଯୋଗ ହେଉଛି।
ଛାତ୍ରୀଛାତ୍ରଙ୍କୁ ସ୍କୁଲ ଅଭିମୁଖୀ କରାଇବା, ଶିକ୍ଷାନୁଷ୍ଠାନରେ ଅତ୍ୟାଧୁନିକ ଡିଜିଟାଲ ଶିକ୍ଷା ଦେବା, ସ୍କୁଲର ପରିବେଶକୁ ସଫାସୁତରା ରଖିବା ଆଦି କ୍ଷେତ୍ରରେ ଗୁରୁତ୍ୱ ଦେଇ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଲକ୍ଷାଧିକ ଟଙ୍କା ସରକାର ବ୍ୟୟ କରୁଛନ୍ତି। ଏପରିକି ଛାତ୍ରୀଛାତ୍ରଙ୍କ ନିମନ୍ତେ ମାଗଣା ପାଠ୍ୟ ପୁସ୍ତକ, ପୋଷାକ, ଜୋତା ଆଦି ମଧ୍ୟ ଯୋଗାଇ ଦେଉଛନ୍ତି। ସ୍କୁଲକୁ ସରସସୁନ୍ଦର କରିବା ସକାଶେ ୫-ଟି ଯୋଜନାରେ ରଙ୍ଗ କରି ସଡିବା ପାଇଁ ବହୁ ଅର୍ଥ ବ୍ୟୟ କରୁଛନ୍ତି। କିନ୍ତୁ ନୂଆଗଁା ବ୍ଲକ ବାଲିସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ନିମନ୍ତେ ରୋଷେଇ ଘର ନ ଥିବା ବେଳେ ସେଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି। ଉକ୍ତ ସ୍କୁଲର ପ୍ରଥମ ଶ୍ରେଣୀଠାରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୧୭ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ସେମାନଙ୍କୁ ପଢାଇବା ପାଇଁ ଜଣେ ଶିକ୍ଷୟିତ୍ରୀ ଓ ଜଣେ ଶିକ୍ଷକ ନିୟୋଜିତ ହୋଇଛନ୍ତି। ୨୦୦୯ ରେ ପ୍ରତିଷ୍ଠା ହୋଇଥିବା ଉକ୍ତ ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇ ଘର ନିର୍ମାଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଅନୁଦାନ ଦିଆଯାଇଥିଲା। ହେଲେ ନିର୍ମାଣ କାର୍ଯ୍ୟ ଭାର ନେଇଥିବା ଠିକାଦାର ରୋଷେଇ ଘରକୁ ଅଧପନ୍ତରିଆ ଭାବେ ନିର୍ମାଣ କରି ଛାଡି ଦେଇଛନ୍ତି। ରୋଷେଇ ଘରେ ଛାତ ପଡି ନ ଥିବାରୁ ସେଠାରେ ରୋଷେଇ କରାଯାଇ ପାରୁନାହିଁ। ତେଣୁ ସ୍କୁଲ ଗୃହ ନିର୍ମାଣ ସମୟରେ ଛାତ୍ରୀଛାତ୍ରଙ୍କ ନିମନ୍ତେ ନିର୍ମାଣ କରାଯାଇଥିବା ୨ ଟି ଶୌଚାଳୟ ଗୃହ ମଧ୍ୟରୁ ଗୋଟିଏକୁ ରୋଷେଇ ଘର ଭାବେ ବ୍ୟବହାର କରାଯାଉଛି। ତେବେ ରୋଷେଇ ଘର ଅଭାବ ଥିବା ସ୍କୁଲ କର୍ମଚାରୀ ବାରମ୍ବାର ବିଭାଗୀୟ ଅଧିକାରୀ, ଜନ ପ୍ରତିନିଧି, ବ୍ଲକ ପ୍ରଶାସନ ଅଧିକାରୀଙ୍କୁ ଗୁହାରୀ କରୁଥିଲେ ମଧ୍ୟ କେହି ଦୃଷ୍ଟି ଦେଉ ନ ଥିବା ଶିକ୍ଷକ ଭିକାରୀ ଚରଣ ନାୟକ କହିଛନ୍ତି। ସେହିପରି ସ୍କୁଲ ନାମରେ ଅନେକ ଜମି ରହିଥିଲେ ମଧ୍ୟ ସ୍କୁଲରେ ପାଚେରୀ, ଖେଳ ପଡିଆ ଆଦି ଅନେକ ସମସ୍ୟା ରହିଛି। ହେଲେ କେହି ସ୍କୁଲ ପ୍ରତି ଦୃଷ୍ଟି ଦେଉ ନ ଥିବା ପ୍ରଧାନଶିକ୍ଷୟତ୍ରୀ ମମତାମଞରୀ ସାହୁ କହିଛନ୍ତି। ଶୌଚାଳୟ ଗୃହରେ ମଧ୍ୟାହ୍ନ ଭୋଜନ ରୋଷେଇ କରାଯିବା ବାବଦରେ ନୂଆଗଁା ବିଇଓ ପ୍ରଶାନ୍ତ କୁମାର ସାହୁଙ୍କୁ ପଚାରିବାରେ ଏ ସଂକ୍ରାନ୍ତରେ ବିଡିଓଙ୍କୁ ଲିଖିତ ଭାବେ ଜଣାଇବି ଏବଂ ଶୀଘ୍ର ରୋଷେଇ ଘର ନିର୍ମାଣ କରାଇବାର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।