ଗଞ୍ଜାମ,୫ା୬(ଡି.ଏନ.ଏ.): ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ୱାର୍ଡ ନଂ. ୭ ବାଲିସାହିରେ ଥିବା ପୋଖରୀ ଦୀର୍ଘ ବର୍ଷ ହେବ ଶୁଖି ଫାଟି ପଡିରହିଥିଲା। ଉକ୍ତ ପୋଖରୀର ପୁନରୁଦ୍ଧାର ପାଇଁ ସାହି ବାସିନ୍ଦା ପ୍ରଶାସନକୁ ବାରମ୍ବାର ଅବଗତ କରୁଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନଥିଲା। ଏ ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ତତ୍ପରତା ପ୍ରକାଶ ପାଇଥିବା ଜଣାପଡିଛି। ଫଳସ୍ବରୂପ ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି। ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ତହସିଲଦାର ଅରୁଣ କୁମାର ନାୟକ ଓ ଏନ୍ଏସି ଇଓ ଅବିନାଶ ମିଶ୍ର ବାଲିସାହି ଯାଇ ଶୁଖି ଫାଟି ପଡ଼ିଥିବା ପୋଖରୀ ବୁଲି ଦେଖିବା ସହ ସାହି ଲୋକଙ୍କ ସହ ଆଲୋଚନା କରିଥିଲେ। ଆସନ୍ତା ଦୁଇ ଦିନ ମଧ୍ୟରେ ପୋଖରୀ ଖନନ ପାଇଁ ଇଓ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ତହସିଲଦାର। ଏଥିସହ ସେଠାରେ ଶିଶୁ ଉଦ୍ୟାନ ସହ ଓପେନ ଜିମ୍ ନିର୍ମାଣ ପାଇଁ ଏନ୍ଏସି ପ୍ରଶାସନ ଯୋଜନା ପ୍ରସ୍ତୁତ କରୁଛି ବୋଲି ଇଓ କହିଛନ୍ତି। ପୋଖରୀ ପୁନରୁଦ୍ଧାର କାମ ଆରମ୍ଭ ହେବା ପରେ ସାହିବାସୀ ତହସିଲଦାର ଓ ଏନଏସି ଇଓଙ୍କୁ କୃତଜ୍ଞତା ଜଣାଇଛନ୍ତି।