ରାୟଗଡ଼ା ଅଫିସ/ବିଷମକଟକ,୨୦ା୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମକଟକ ନିର୍ବାଚନ ମଣ୍ଡଳୀ ଅଧୀନ କଲ୍ୟାଣସିଂହପୁର ବ୍ଲକରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ ଗ୍ରହଣ ବେଳେ ରବିବାର ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ସୁନାଖଣ୍ଡି ପଞ୍ଚୟତ ନିୟମଗିରି ପାହାଡ଼ ଅଞ୍ଚଳର ରାଇଲିମା ଗ୍ରାମର ୧୪ ନଂ. ବୁଥ୍‌ରେ ମତଦାନ ଚାଲିଥିବା ବେଳେ ଡଙ୍ଗରିଆମାନେ ଭୋଟବାକ୍ସ ଉଠାଇ ନେଇଛନ୍ତି। ଶତାଧିକ ଲୋକଙ୍କ ନାମ ଭୋଟର ତାଲିକାରେ ନ ଥିବାରୁ ସେମାନେ ଉତ୍ତ୍ୟକ୍ତ ହୋଇ ଏଭଳି କରିଥିବା କହିଛନ୍ତି।
ସୂଚନା ଅନୁଯାୟୀ, ବୁଥ୍‌ରେ ସକାଳେ ଶାନ୍ତିପୂର୍ଣ୍ଣ ମତଦାନ ଚାଲିଥିଲା। ଏହି ବୁଥ୍‌ରେ ରାଇଲିମା ଗ୍ରାମ ସମେତ ତଳ ଘୁଷୁଡ଼ି ଓ ଉପର ଘୁଷୁଡ଼ି ଗ୍ରାମର ଡଙ୍ଗରିଆ ଅଧିବାସୀ ମତ ସାବ୍ୟସ୍ତ କରିବାର ଥିଲା। ତଳ ଘୁଷୁଡ଼ି ଓ ଉପର ଘୁଷୁଡ଼ି ଗ୍ରାମର ଭୋଟରମାନେ ଚାଲିଚାଲି ଆସି ଶନିବାରଠାରୁ ରାଇଲିମାରେ ପହଞ୍ଚିଥିଲେ। ରବିବାର ଭୋଟ ପାଇଁ ଧାଡ଼ିରେ ଅପେକ୍ଷା କରିଥିବା ସମୟରେ ତଳ ଘୁଷୁଡ଼ି ଓ ଉପର ଘୁଷୁଡ଼ି ଗ୍ରାମର ଶତାଧିକ ଲୋକଙ୍କ ନାମ ତାଲିକାରେ ନ ଥିବା ଜାଣିବାକୁ ପାଇଥିଲେ। ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଭୋଟ ଦେବାରୁ ବଞ୍ଚିତ ଡଙ୍ଗରିଆ ମହିଳା ଓ ପୁରୁଷ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ଧରି ବୁଥ୍‌ରେ ପସି ଭଙ୍ଗାରୁଜା କରିବା ସହ ଭୋଟବାକ୍ସ ଉଠାଇ ନେଇଥିଲେ। ଦୀର୍ଘ ପ୍ରାୟ ୩ ଘଣ୍ଟା ଧରି ସେମାନେ ଭୋଟବାକ୍ସ ନିଜ କବ୍‌ଜାରେ ରଖିଥିଲେ।

ପ୍ରଶାସନର ଭୁଲ ଯୋଗୁ ମତଦାନ ଅଧିକାରରୁ ବଞ୍ଚିତ ହୋଇଥିବା ଡଙ୍ଗରିଆମାନେ କହିଥିଲେ। ଭୋଟ ଦେବାର ସୁଯୋଗ ନ ମିଳିବା ପର୍ଯ୍ୟନ୍ତ ଭୋଟବାକ୍ସ ଦେବୁନାହିଁ ବୋଲି ସେମାନେ ଜିଦ୍‌ରେ ଅଟଳ ରହିଥିଲେ। ରାୟଗଡ଼ା ଏସ୍‌ଡିପିଓ ଦିବ୍ୟଜ୍ୟୋତି ଦାସ, ତହସିଲଦାର ଦେବାଶିଷ କର, କଲ୍ୟାଣସିଂହପୁର ଥାନାଧିକାରୀ ସୁକୁମା ହାଁସଦା ଏବଂ ପୋଲିସ ବାହିନୀ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ଅଧାବାଟରେ ଅଟକାଇବା ସହ ବୁଝାଶୁଝା କରିଥିଲେ। ଭୋଟ ଦେବାରୁ ସୁଯୋଗ ଦିଆଯିବ ବୋଲି କହିବା ପରେ ଭୋଟବାକ୍ସ ଫେରାଇଥିଲେ। ଉକ୍ତ ବୁଥ୍‌ରେ ୧୨୯ ଜଣ ଭୋଟ ଦେବାକୁ ଥିବାବେଳେ ୭୯ ଜଣଙ୍କ ଭୋଟ ଗ୍ରହଣ ସମ୍ଭବ ହୋଇଥିବା ସୂଚନା ମିଳିଛି।

Share