ଇମ୍ରାନ ଖାନ୍‌ଙ୍କୁ ଲାଗିଲା ବଡ଼ ଝଟ୍‌କା

ଇସଲାମାବାଦ,୨୭।୩: ସରକାର ବଞ୍ଚାଇବାକୁ ସଂଘର୍ଷ କରୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ସୋମବାର ସଂସଦର ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବ। ଏହାର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ସହଯୋଗୀ ଜମୁହୁରୀ ବତନ ପାର୍ଟିର ନେତା ତଥା କ୍ୟାବିନେଟ ମନ୍ତ୍ରୀ ଶାହଜେନ ବୁଗତି ଇସ୍ତଫା ଦେଇଛନ୍ତି। ଇସ୍ତଫା ପରେ ସେ ବିରୋଧୀଙ୍କୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି। ବେଲୁଚିସ୍ତାନରେ ଲୋକଙ୍କ ବିଶ୍ୱାସ ଉପରେ ଆଘାତ ହୋଇଛି। ଦେଶର ଅବସ୍ଥା ଦେଖି ମୁଁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ଏଣିକି ଆମେ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ବିଲାୱଲ ଭୁଟ୍ଟୋଙ୍କୁ ସମର୍ଥନ ଦେବୁ ବୋଲି ସେ କହିଛନ୍ତି।
ଇସ୍ତଫା ଦେବା ପରେ ବୁଗତି ଏକ ଟୁଇଟ୍‌ରେ ଲେଖିଛନ୍ତି, ପିଟିଆଇ ସରକାର ତିନି ବର୍ଷ ମଧ୍ୟରେ ଆଇନ ଶୃଙ୍ଖଳାକୁ ସୁଦୃଢ କରିବା ପାଇଁ କିଛି କରିନାହାଁନ୍ତି। ଏହି ସରକାର କେବଳ ପାକିସ୍ତାନ ଲୋକଙ୍କୁ ଅପମାନିତ ଏବଂ ଲଜ୍ଜିତ କରିଛନ୍ତି। ଏହି କାରଣରୁ ମୁଁ କ୍ୟାବିନେଟରୁ ଇସ୍ତଫା ଦେଇଛି। ମୁଁ ପାକିସ୍ତାନ ଏବଂ ବେଲୁଚିସ୍ତାନର ଲୋକଙ୍କ ସ୍ବାର୍ଥ ପାଇଁ ବିରୋଧୀ ଦଳରେ ଯୋଗ ଦେଇଛି।
ସୂଚନାଯୋଗ୍ୟ, ଅର୍ଥନୀତି ଏବଂ ବୈଦେଶିକ ନୀତିକୁ ଠିକ ଭାବରେ ପରିଚାଳନା କରୁ ନ ଥିବାରୁ ବିରୋଧୀଦଳ ଇମ୍ରାନଙ୍କୁ ବାରମ୍ବାର ଟାର୍ଗେଟ୍‌ କରୁଛନ୍ତି। ସେମାନେ ପିଟିଆଇ ସରକାରକୁ ହଟାଇବାକୁ ଚାହୁଁଛନ୍ତି। ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମ୍‌ଏଲ-ଏନ୍‌) ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ର ପ୍ରାୟ ୧୦୦ ଏମ୍‌ପି ଚଳିତ ମାସ ୮ରେ ଜାତୀୟ ବିଧାନସଭା ସଚିବାଳୟରେ ଅନାସ୍ଥା ପ୍ରସ୍ତାବର ନୋଟିସ ଦେଇଛନ୍ତି।
ଇମ୍ରାନଙ୍କ ବିରୋଧରେ ସଂସଦରେ ମାର୍ଚ୍ଚ ୨୮ରେ ଅନାସ୍ଥା ପ୍ରସ୍ତାବକୁ ନେଇ ଭୋଟିଂ ହେବାର ଅଛି। ଅନାସ୍ଥା ପ୍ରସ୍ତାବ ଜିତିବା ପାଇଁ, ସଂସଦର ନିମ୍ନ ଗୃହରେ ସମୁଦାୟ ୩୪୨ ଜଣ ସଦସ୍ୟଙ୍କ ମଧ୍ୟରୁ ୧୭୨ ଜଣ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ଜାତୀୟ ସଭାରେ ଇମ୍ରାନ ଖାନ ବହୁମତ ରହିଛି। ଏଠାରେ ତାଙ୍କ ପିଟିଆଇର ୧୫୫ ସଦସ୍ୟ ଏବଂ ମିଳିତ ସହଯୋଗୀ ଦଳର ୨୩ ସଦସ୍ୟ ଅଛନ୍ତି। ବିରୋଧୀ ଦଳର ୧୬୩ ସଦସ୍ୟ ଅଛନ୍ତି। ବିରୋଧୀ ଦଳ ଆଶା କରୁଛନ୍ତି ଯେ ଶାସକ ମିଳିତ ମଞ୍ଚର କିଛି ଅସନ୍ତୁଷ୍ଟ ବିଧାୟକ ତାଙ୍କ ସରକାରକୁ ହଟାଇବାରେ ସେମାନଙ୍କୁ ସମର୍ଥନ କରିବେ। ୨୦୧୮ରେ କ୍ରିକେଟରୁ ରାଜନେତା ପାଲଟିଥିବା ଇମ୍ରାନ କ୍ଷମତାକୁ ଆସିଥିଲେ ଏବଂ ପରବର୍ତ୍ତୀ ସାଧାରଣ ନିର୍ବାଚନ ୨୦୨୩ ରେ ହେବ।

Share