ବାଲୁଚିସ୍ତାନ ବିସ୍ଫୋରଣ: ବଢୁଛି ମୃତାହତଙ୍କ ସଂଖ୍ୟା

ଇସଲାମାବାଦ,୨୯।୯: ପାକିସ୍ତାନର ବାଲୁଚିସ୍ତାନରେ ହୋଇଥିବା ବିସ୍ଫୋରଣରେ ଏବେ ପର୍ଯ୍ୟନ୍ତ ୩୪ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତକଙ୍କ ମଧ୍ୟରେ ପୋଲିସ ଫୋର୍ସ କେତେଜଣ ଯବାନ ମଧ୍ୟ ଅଛନ୍ତି। ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ଏହି ସୂଚନା ପାକିସ୍ତାନୀ ଖବରକାଗଜ ଡନ ଦେଇଛି।

ମସ୍ତୁଙ୍ଗ ଆସିଷ୍ଟାଣ୍ଟ କମିଶନର ଅଟ୍ଟାହଲ ମୁନିମ କହିଛନ୍ତି ଯେ ବାଲୁଚିସ୍ତାନର ମସ୍ତୁଙ୍ଗର ଅଲ ଫାଲା ରୋଡରେ ଅବସ୍ଥିତ ମଦିନା ମସଜିଦ ନିକଟରେ ଏକ ବିସ୍ଫୋରଣ ଘଟିଛି। ଇଦ ମିଲାଦ-ଉନ-ନବି ଅବସରରେ ଏକ ଶୋଭାଯାତ୍ରାରେ ଭାଗ ନେବାକୁ ଲୋକମାନେ ସେଠାରେ ଏକତ୍ରିତ ହେବାବେଳେ ଏହା ଘଟିଥିଲା।
ଡନ ଖବରକାଗଜ ସହିଦ ନବାବ ଗ୍ୟାସ ବଖସ ରାଇସାନି ମେମୋରିଆଲ ହସ୍ପିଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ସୟଦ ମିରୱାନୀ ମୃତକଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି। ସିଟି ଷ୍ଟେଶନ ହାଉସ ଅଫିସର ମହମ୍ମଦ ଜାଭେଦ ଲୋହରୀ କହିଛନ୍ତି ଯେ ବିସ୍ଫୋରଣରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ପ୍ରାଣ ହରାଇଛନ୍ତି। ସେ କହିଛନ୍ତି ଯେ ଏହି ବିସ୍ଫୋରଣ ଏକ ଆତ୍ମଘାତୀ ବିସ୍ଫୋରଣ, ଯାହା ଡିଏସପି ଗିସ୍କଖୌରୀଙ୍କ କାର ନିକଟରେ ଫାଟି ଥିଲା।
ବାଲୁଚିସ୍ତାନର ମଧ୍ୟବର୍ତ୍ତୀକାଳୀନ ସୂଚନା ମନ୍ତ୍ରୀ ଜାନ ଅଚକଜାଇ କହିଛନ୍ତି ଯେ ମସ୍ତୁଙ୍ଗକୁ ଏକ ଉଦ୍ଧାରକାରୀ ଦଳ ପଠାଯାଇଛି। ସେ କହିଛନ୍ତି ଯେ ଗୁରୁତର ଆହତ ଲୋକଙ୍କୁ କ୍ୱେଟାକୁ ନିଆଯାଉଛି ଏବଂ ସମସ୍ତ ଡାକ୍ତରଖାନାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି।

Share