ଫିନଲ୍ୟାଣ୍ଡ ଇଷ୍ଟୋନିଆ ମଧ୍ୟରେ ବାଲଟିକ ସାଗରରେ ଥିବା ଗ୍ୟାସ ପାଇପଲାଇନ ବନ୍ଦ: ଲିକ ସନ୍ଦେହ…

ହେଲସିଙ୍କ,୯।୧୦: ଫିନଲ୍ୟାଣ୍ଡ ଏବଂ ଇଷ୍ଟୋନିଆ ମଧ୍ୟରେ ବାଲଟିକ ସାଗରରେ ଥିବା ‘ବାଲଟିକ କନେକ୍ଟର’ ଗ୍ୟାସ ପାଇପଲାଇନ ଲିକ ସନ୍ଦେହରେ ସାମୟିକ ଭାବେ ଏହାକୁ ବନ୍ଦ ହୋଇଯାଇଛି।

ଏହି ବିଷୟରେ ସୂଚନା ପ୍ରଦାନ କରି ପାଇପଲାଇନ ଚଳାଉଥିବା ଫିନଲ୍ୟାଣ୍ଡର ‘ଗ୍ୟାସଗ୍ରିଡ ଫିନଲ୍ୟାଣ୍ଡ’ ଏବଂ ଇଷ୍ଟୋନିଆର ‘ଏଲେରିଙ୍ଗ’ କମ୍ପାନୀ କହିଛନ୍ତି ଶନିବାର ବିଳମ୍ବିତ ରାତ୍ର ୨ଟା ସମୟରେ ସେମାନେ ପାଇପଲାଇନର ଚାପରେ ଅସ୍ବାଭାବିକ ହ୍ରାସ ଦେଖିଥିଲେ। ପରେ ତୁରନ୍ତ ଗ୍ୟାସ ପ୍ରବାହକୁ ବନ୍ଦ କରାଯାଇଥିଲା।

ଫିନଲ୍ୟାଣ୍ଡ କମ୍ପାନୀ ଗ୍ୟାସଗ୍ରିଡ ଫିନଲ୍ୟାଣ୍ଡ ଏକ ବିବୃତ୍ତିରେ କହିଛି ପର୍ଯ୍ୟବେକ୍ଷଣକୁ ଆଧାର କରି ଫିନଲ୍ୟାଣ୍ଡ ଏବଂ ଇଷ୍ଟୋନିଆ ମଧ୍ୟରେ ଥିବା ଅଫଶୋର ପାଇପଲାଇନ ଲିକ ହେଉଛି ବୋଲି ସନ୍ଦେହ କରାଯାଉଛି। ଅଫଶୋର ପାଇପଲାଇନରେ ଥିବା ଭାଲଭଗୁଡ଼ିକ ବର୍ତ୍ତମାନ ବନ୍ଦ ହୋଇଯାଇଛି ଏବଂ ଲିକେଜ ବନ୍ଦ ହୋଇଯାଇଛି।

ଏହା କାହିଁକି ଘଟିଲା ସେନେଇ ଫିନଲ୍ୟାଣ୍ଡ ଅପରେଟର ଏପର୍ଯ୍ୟନ୍ତ କୌଣସି କାରଣ ଦେଇନାହାଁନ୍ତି। ସେମାନେ କହିଛନ୍ତି ଏଲେରିଙ୍ଗଙ୍କ ସହ ମିଶି ଏହାର ଅନୁସନ୍ଧାନ କରୁଛନ୍ତି। ସେପ୍ଟେମ୍ବର ୨୦୨୨ରେ, ବାଲଟିକ ସାଗର ଦେଇ ଜର୍ମାନୀକୁ ପ୍ରାକୃତିକ ଗ୍ୟାସର ଦୁଇଟି ପାଇପଲାଇନରେ ଏକ ଅସ୍ବାଭାବିକ ଲିକ ହେବା ପରେ ଏହା ଏକ ସୁଚିନ୍ତିତ ପଦକ୍ଷେପ ବୋଲି ଆଶଙ୍କା କରାଯାଉଥିଲା।

Share