Categories: ଖେଳ

ବାମଣ୍ଡା କପ୍‌: କେନ୍ଦୁଝରକୁ ହରାଇ ସମ୍ବଲପୁର ଫାଇନାଲରେ

ଦେବଗଡ଼,୨୬।୧୨(ଡି.ଏନ୍‌.ଏ.): ଦେବଗଡ଼ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୨ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ସୋମବାର ମ୍ୟାଚରେ କେନ୍ଦୁଝର ଏକାଦଶକୁ ହରାଇ ସମ୍ବଲପୁର ଫାଇନାଲରେ ପ୍ରବେଶ କରିଛି। କେନ୍ଦୁଝର ଏକାଦଶ ବନାମ ସମ୍ବଲପୁର ଆଭାର ଟାଇଗର ଟିମ୍‌ ମଧ୍ୟରେ ଖେଳ ହୋଇଥିଲା। ଗୃପ ‘ଏ’ର ପ୍ରଥମ ସେମିଫାଇନାଲ ମ୍ୟାଚରେ ସମ୍ବଲପୁର ଦଳ ୫୮ରନ୍‌ରେ କେନ୍ଦୁଝରକୁ ପରାସ୍ତ କରିଛି।

କେନ୍ଦୁଝର ଦଳ ଟସ୍‌ ଜିତି ସମ୍ବଲପୁରକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ସମ୍ବଲପୁର ୨୦ ଓଭରରେ ୮ଉଇକେଟ ହରାଇ ୧୯୧ ରନ୍‌ କରିଥିଲା। ଦଳ ପକ୍ଷରୁ ସେକ୍‌ ଯାହାଙ୍ଗୀର ୩୮, ରାହୁଲ ବିଶ୍ୱକର୍ମା ୩୮ ଏବଂ ଅମନ ବେହେରା ୩୬ ରନ୍‌ କରିଥିବା ବେଳେ କେନ୍ଦୁଝର ଦଳର ସୁଧାଂଶୁ ସେନାପତି ୨ଟି ଉଇକେଟ ନେଇଥିଲେ। ଜବାବରେ କେନ୍ଦୁଝର ଦଳ ବ୍ୟାଟିଂ କରି ୨୦ ଓଭରରେ ୭ଟି ଉଇକେଟ ହରାଇ ୧୩୩ ରନ୍‌ କରି ପରାସ୍ତ ହୋଇଥିଲା। ଦଳ ପକ୍ଷରୁ ଋତୁରାଜ ମହାନ୍ତି ୪୧ ଓ ସାଇ ସୁବ୍ରତ ଜେନା ୩୫ ରନ୍‌ କରିଥିବା ବେଳେ ସମ୍ବଲପୁର ଦଳର ଅଭିନାଶ ନନ୍ଦ ୩ ଉଇକେଟ ନେଇଥିଲେ।

ମ୍ୟାଚରେ ଶ୍ରେଷ୍ଠ ବୋଲର ସମ୍ବଲପୁର ଦଳର ଅଭିନାଶ ନନ୍ଦ, ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ରାହୁଲ ବିଶ୍ୱକର୍ମା ଓ ମ୍ୟାନ ଅଫ୍‌ ଦି ମ୍ୟାଚ ଭାବେ ଅବିନାଶ ନନ୍ଦଙ୍କୁ ପୁରସ୍କୃତ କରାଯାଇଥିଲା। କ୍ଲବର ଉପସଭାପତି ଅଶୋକ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତାରଣୀ ଉତ୍ସବରେ ଜିଲା ଓକିଲ ସଂଘ ସଭାପତି ସଚ୍ଚିକାନ୍ତ ଦାଶ, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ସାହୁ ପ୍ରମୁଖ ଯୋଗ ପୁରସ୍କାର ବିତରଣ କରିଥିଲେ। କ୍ଲବ ସମ୍ପାଦକ ସୁଜିତ କୁମାର ପ୍ରଧାନ ସ୍ବାଗତ ଭାଷଣ, ଉପ ସଭାପତି ସତ୍ୟ ନାରାୟଣ ପାଣି ଅତିଥି ପରିଚୟ ପ୍ରଦାନ କରିଥିଲେ। ମ୍ୟାଚକୁ ଅମ୍ପାୟାର ସତ୍ୟ ପ୍ରସାଦ ରଥ, ସୌମ୍ୟ ଦର୍ଶନ ମହାନ୍ତି ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ରୋମି ନାୟକ, ରିତିକ ଦେହୁରୀ ଏବଂ ରମାକାନ୍ତ ପ୍ରଧାନ ଧାରାବିବରଣୀ ଦେଇଥିଲେ।

Share