ବାମଣ୍ଡା କପ୍‌: କଟକକୁ ହରାଇ ସେମିରେ ସମ୍ବଲପୁର

ଦେବଗଡ଼,୨୫।୧୨(ଡି.ଏନ୍‌.ଏ.): ଦେବଗଡ଼ ଇନ୍ଦିରା ଗାନ୍ଧୀ ଷ୍ଟାଡ଼ିୟମରେ ୩୨ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟର ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ କଟକକୁ ହରାଇ ସମ୍ବଲପୁର ବିଜୟୀ ହୋଇଛି। କଟକ ରାଜିଜିଂ ଷ୍ଟୁଡେଣ୍ଟ ବନାମ ସମ୍ବଲପୁର ଆଭାର ଟାଇଗର ମଧ୍ୟରେ ଖେଳ ହୋଇଥିଲା। ଏଥିରେ ସମ୍ବଲପୁର ଦଳ ୬ ଉଇକେଟରେ କଟକକୁ ପରାସ୍ତ କରି ସେମିଫାଇନାଲକୁ ପ୍ରବେଶ କରିଛି।

ସମ୍ବଲପୁର ଟସ୍‌ ଜିତି କଟକକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। କଟକ ୨୦ ଓଭରରେ ୪ ଉଇକେଟ ହରାଇ ୧୩୮ ରନ୍‌ କରିଥିଲା। ଦଳ ପକ୍ଷରୁ ମୋରାଲ ପଣ୍ଡା ୬୨, ଅଭିନାଶ ନାୟକ ୩୬ ଓ ଗିରିଜା ବାରିକ ୩୨ ରନ୍‌ କରିଥିବା ବେଳେ ସମ୍ବଲପୁରର ୪ ବୋଲର ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ। ଜବାବରେ ସମ୍ବଲପୁର ବ୍ୟାଟିଂ କରି ୧୮ ଓଭରରେ ୪ ଉଇକେଟ ହରାଇ ୧୪୨ ରନ୍‌ କରି ବିଜୟୀ ହୋଇଥିଲା।

ଦଳ ପକ୍ଷରୁ ଋଷି ମେହେର ୬୧ରନ୍‌, ଏସ୍‌.କେ ଯାହାଙ୍ଗୀର ୨୯ ରନ୍‌ କରିଥିବା ବେଳେ କଟକ ଦଳର ସୌଭାଗ୍ୟ ମିଶ୍ର ୨ଟି ଉଇକେଟ ନେଇଥିଲେ। ମ୍ୟାଚରେ ବେଷ୍ଟ ବୋଲର କଟକର ସୌଭାଗ୍ୟ ମିଶ୍ର, ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଏବଂ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ଭାବେ ସମ୍ବଲପୁରର ଋଷି ମେହେରଙ୍କୁ ପୁରସ୍କୃତ କରାଯାଇଥିଲା। କ୍ଲବର ଉପସଭାପତି ଅଶୋକ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ତିଳେଇବଣି ବ୍ଲକ ଅଧ୍ୟକ୍ଷ ବୃନ୍ଦାବତୀ ଭୋଇ, ଉପାଧ୍ୟକ୍ଷା ଆରତୀ ପ୍ରଧାନ, ପୂର୍ବତନ ଜିଲା ପରିଷଦ ସଭ୍ୟ ଯୋଗେଶ ପ୍ରଧାନ ପ୍ରମୁଖ ଯୋଗଦେଇ ଖେଳାଳିଙ୍କୁ ଉଦ୍‌ବୋଧନ ଦେଇ ପୁରସ୍କାର ପ୍ରଦାନ କରିଥିଲେ। କ୍ଲବ ସମ୍ପାଦକ ସୁଜିତ କୁମାର ପ୍ରଧାନ ସ୍ବାଗତ ଭାଷଣ, ଉପସଭାପତି ସତ୍ୟନାରାୟଣ ପାଣି ଅତିଥି ପରିଚୟ ଓ ପ୍ରଦ୍ୟୁମ୍ନ ଭୁକ୍ତା ଧନ୍ୟବାଦ ଅର୍ପଣ କରିଥିଲେ।