ପଟ୍ଟାମୁଣ୍ଡାଇ,୨୬।୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବାଉଁଶ କାରିଗରମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ସମୟ ସହ ତାଳ ଦେଇ ଉଭୟ ଗ୍ରାମ ଓ ସହରାଞ୍ଚଳରେ ଦିନକୁ ଦିନ ବାଉଁଶ ତିଆରି ଉପକରଣର ଚାହିଦା କମିବାରେ ଲାଗିଛି। ଆଜିର ପ୍ଲାଷ୍ଟିକ୍ ଯୁଗରେ ବାଉଁଶ ନିର୍ମିତ ସାମଗ୍ରୀର ବିକ୍ରିବଟା ପାଇଁ କୌଣସି ବଜାର ସୁବିଧା ନାହିଁ। ଫଳରେ କାରିଗରମାନେ ସେମାନଙ୍କ ପ୍ରସ୍ତୁତ ସାମଗ୍ରୀର ଉପଯୁକ୍ତ ମୂଲ୍ୟ ପାଉନାହାନ୍ତି। ବଜାରରେ ବାଉଁଶ ଉପକରଣ ବଦଳରେ ଆଲୁମିନିୟମ, ଷ୍ଟିଲ୍, ପ୍ଲାଷ୍ଟିକ୍ ଓ ପଲିଥିନ ତିଆରି ସାମଗ୍ରୀ ସ୍ଥାନ ନେଇଛି। ଏଥିଯୋଗୁ କେତେଜଣ କୌଳିକ ଓ ପରମ୍ପରାଗତ ବୃତ୍ତିରୁ ଦୂରେଇଯାଇ ଅନ୍ୟ ବୃତ୍ତି ଆପଣେଇ ନେଉଛନ୍ତି। ଆଉ କେତେଜଣ ପରମ୍ପରାଗତ ବୃତ୍ତିକୁ ଛାଡ଼ି ନ ପାରି ବଞ୍ଚାଇବା ଲାଗି ସଂଘର୍ଷ କରିଛନ୍ତି। ଅନ୍ୟପକ୍ଷେ ଗଁା ଗହଳିରେ ଏବେ ବାଉଁଶ ଅଭାବ ଓ ବଜାର ଚାହିଦା କମିବା ଯୋଗୁ କାରିଗରମାନଙ୍କ ଜୀବନଜୀବିକା ଦୁର୍ବିଷହ ହେବାକୁ ବସିଲାଣି। ପଟ୍ଟାମୁଣ୍ଡାଇ ଅଞ୍ଚଳ ବକ୍ତାରପୁର, ବେଲତଳ, କାକୁଡିପଲ୍ଲୀ, ଓସଙ୍ଗରା, ଅଣ୍ଢରା, ଡାମରପୁର ଗଁାର ଏହି ସମ୍ପ୍ରଦାୟର ଲୋକଙ୍କ ପାଇଁ ବୃତ୍ତିକୁ ବଞ୍ଚାଇ ରଖିବା କଷ୍ଟକର ହୋଇପଡିଛି। ଅଞ୍ଚଳରେ ଏହି ସମ୍ପ୍ରଦାୟର ପ୍ରାୟ ୩୦୦ରୁ ଊଦ୍ଧର୍ବ ପରିବାର ବସବାସ କରୁଛନ୍ତି। ପୁରୁଷାନୁକ୍ରମେ ଏମାନେ ବାଉଁଶରେ ଟୋକେଇ, ପାଛିଆ, ଝୁଡ଼ି, କୁଲା, ଝାମ୍ପି, ଫୁଲଚାଙ୍ଗୁଡି, ଝାଡ଼ୁ, ଖଡ଼ିକା, ପାନଝୁଡି, ଭୋଗେଇ, ଡାଲା, ଗଉଣି ଆଦି ଗୃହ ଉପକରଣ ତିଆରି କରିଆସୁଛନ୍ତି। ମହିଳା ପୁରୁଷମାନେ ଏହି ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି। ପ୍ରଥମେ ବାଉଁଶକୁ ଚିରି ଛୋଟ ଛୋଟ ପାତିଆରେ ପରିଣତ କରିବା ପରେ ସେଥିରୁ ସାମଗ୍ରୀ ପ୍ରସ୍ତୁତ କରାଯାଏ। ଏପରି କି ଗ୍ରାହକମାନଙ୍କୁ ଆକୃଷ୍ଟ କରିବାକୁ ବାଉଁଶ ପାତିଆକୁ ରଙ୍ଗ ବେରଙ୍ଗ କରି ସୁନ୍ଦର ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି। ପରେ ଏହାକୁ ପୁରୁଷମାନେ ନିକଟସ୍ଥ ହାଟବଜାରକୁ ନେଇ ବିକ୍ରି କରିଥାନ୍ତି। କଞ୍ଚାମାଲ ସଂଗ୍ରହ, ସାମଗ୍ରୀ ପ୍ରସ୍ତୁତି ଓ ଜିନିଷ ବିକ୍ରିରେ ପରିଶ୍ରମ ତୁଳନାରେ ସେମାନେ ଉପଯୁକ୍ତ ମୂଲ୍ୟ ପାଇ ନ ଥାନ୍ତି।
ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଆଉ ବାଉଁଶ ବୁଦା ଦେଖିବାକୁ ମିଳୁନି। ଫଳରେ କାରିଗରମାନେ ବାହାରୁ ସ୍ବଳ୍ପ ପରିମାଣର ବାଉଁଶକୁ ଅଧିକ ଦାମ୍ ଦେଇ କିଣୁଛନ୍ତି। ସାମଗ୍ରୀ ତିଆରି ପରେ ମଧ୍ୟ ତାହାକୁ ଅଧିକ ଦରରେ ବିକ୍ରି କରିବା ସମ୍ଭବ ହେଉନାହିଁ। ସ୍ବଳ୍ପ ରୋଜଗାରରେ ଆଜିକାଲିର ବ୍ୟୟବହୁଳ ସମାଜରେ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡୁଛି ବୋଲି ବାଉଁଶ କାରିଗର ହଳଧର ଯେନା କହିଛନ୍ତି। ଅନ୍ୟ ଜଣେ କାରିଗର ଅନନ୍ତ ମଳିକ କୁହନ୍ତି, ପୂର୍ବରୁ ଓଡ଼ିଆ ପରମ୍ପରାରେ ବିବାହ ତଥା ଅନ୍ୟ ପୂଜା ପାର୍ବଣରେ ଆମେ ତିଆରି କରୁଥିବା ବାଉଁଶ ସାମଗ୍ରୀର ବହୁତ ଚାହିଦା ରହୁଥିଲା। ନୂଆ ବୋହୂଟିଏ ଶାଶୁଘରକୁ ଯିବା ସମୟରେ ବାପଘର ପକ୍ଷରୁ ଅନ୍ୟ ଜିନିଷ ସହ ବାଉଁଶ ତିଆରି ବିଭିନ୍ନ ସାମଗ୍ରୀ ଦିଆଯାଉଥିଲା। ଏବେ କିନ୍ତୁ ଏସବୁ ଖୁବ୍ କମ୍ ସ୍ଥାନରେ ଦେଖିବାକୁ ମିଳୁଛି। ପ୍ଲାଷ୍ଟିକ୍ ସାମଗ୍ରୀ ବ୍ୟବହାର ଯୋଗୁ ଗ୍ରାହକମାନେ ବାଉଁଶ ତିଆରି ସାମଗ୍ରୀକୁ ନେଇ ଆଗ୍ରହ ଦେଖାଉ ନାହାନ୍ତି। ଯଦି ସରକାର ଆମକୁ ପ୍ରୋତ୍ସାହନ ଯୋଗାଇ ଦିଅନ୍ତେ ଓ ଏହାର ବିକ୍ରି ନିମନ୍ତେ ବ୍ୟବସ୍ଥା କରନ୍ତେ ତେବେ ଆମେ ଉପକୃତ ହୋଇପାରନ୍ତୁ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ସାମାଜିକ କର୍ମୀ ନରେନ୍ଦ୍ର ଧଳ କହିଛନ୍ତି, ଅଞ୍ଚଳର ଶତାଧିକ ପରିବାର କେବଳ ବାଉଁଶ କାରିଗରି କାମକରି ପେଟ ପୋଷନ୍ତି। ସେମାନଙ୍କ ପାଇଁ କୌଣସି ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯାଇନାହିଁ। ଜିଲା ପ୍ରଶାସନ ସେମାନଙ୍କୁ ସହାୟତାର ହାତ ବଢ଼ାଇ ବିଭିନ୍ନ ଗୃହୋପକରଣର ସାଜସଜ୍ଜା ସାମଗ୍ରୀ ପ୍ରସ୍ତୁତ କରିବାକୁ ପ୍ରଶିକ୍ଷଣ ଯୋଗାଇଦେଲେ ସାମଗ୍ରୀର ଚାହିଦା ବୃଦ୍ଧି ପାଆନ୍ତା ଓ ଆର୍ଥିକ ଉନ୍ନତି ସମ୍ଭବ ହୋଇପାରନ୍ତା।