୨ ଜିଲାକୁ ଯୋଡୁଛି ବାଉଁଶପୋଲ

ଚମ୍ପୁଆ,୨୧ା୬(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ୍‌ ଅନ୍ତର୍ଗତ କରଞ୍ଜିଆ ପଞ୍ଚାୟତର କାଟୁଳିକନାଠାରେ ବୈତରଣୀ ନଦୀ ଉପରେ ନିର୍ମାଣ ହୋଇଥିବା ଅସ୍ଥାୟୀ ବାଉଁଶପୋଲ ୨ ଜିଲାକୁ ଯୋଡ଼ୁଛି। ପୋଲ ଉପରେ ୪ରୁ ଊର୍ଦ୍ଧ୍ୱ ପଞ୍ଚାୟତବାସୀ ଯାତାୟାତ କରୁଛନ୍ତି। ୨ ଜିଲାକୁ ଗମନାଗମନ ସମୟ ସାପେକ୍ଷ ହୋଇଥିବାରୁ ଏଠାରେ ଏକ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ଦାବି ହେଉଛି। ସୂଚନା ଅନୁଯାୟୀ, ମୟୂରଭଞ୍ଜ ଓ କେନ୍ଦୁଝରର ଲାଇଫଲାଇନ ଭାବେ ପରିଚିତ ବୈତରଣୀ ନଦୀ। ୨ ଜିଲାକୁ କରଞ୍ଜିଆ ପଞ୍ଚାୟତର କାଟୁଳିକନାଠାରେ ଥିବା ବାଉଁଶପୋଲ ସଂଯୋଗ କରିଛି। ଏହି ପୋଲ ଉପରେ ଚମ୍ପୁଆ ବ୍ଲକ୍‌ର କରଞ୍ଜିଆ, ଚନ୍ଦ୍ରଶେଖରପୁର, ବଡ଼ନଇ ଓ ସରେଇ ଆଦି ପଞ୍ଚାୟତବାସୀଙ୍କ ସମେତ ମୟୂରଭଞ୍ଜ ଜିଲାର ଲୋକ ନିର୍ଭର କରିଆସୁଛନ୍ତି। ଉପରୋକ୍ତ ପଞ୍ଚାୟତର ଲୋକେ ମୟୂରଭଞ୍ଜକୁ ଯିବାକୁ ହେଲେ ଚମ୍ପୁଆ ଦେଇ ପ୍ରାୟ ୨୦ ରୁ ୨୨ କି.ମି. ବୁଲିଯିବାକୁ ପଡୁଛି। ମାତ୍ର ଉକ୍ତ ବାଉଁଶପୋଲ ଦେଇ ଗଲେ ଅଧା କି.ମି. ରାସ୍ତା କମିଯାଉଛି। ମୟୂରଭଞ୍ଜ ଓ କେନ୍ଦୁଝରର ସାଂସ୍କୃତିକ ସମନ୍ବୟ ଓ ପାରମ୍ପରିକ ପ୍ରଥା ସମାନ ରହୁଥିବା ବେଳେ ୨ ଜିଲାବାସୀଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ ମଧ୍ୟ ରହିଆସୁଛି। ଫଳରେ ଦୈନନ୍ଦିନ କାର୍ଯ୍ୟଠାରୁ ଆରମ୍ଭ କରି ମୟୂରଭଞ୍ଜ ଓ କେନ୍ଦୁଝର ଉପରେ ନିର୍ଭର କରୁଥିବା ଲୋକମାନେ ଏହି ବାଉଁଶ ପୋଲକୁ ଭରସା କରିଚାଲିଛନ୍ତି। କେବଳ ୨ ଚକିଆ ଯାନ ଓ ପାଦଚଲା ଭାବେ ଏହି ପୋଲ ବ୍ୟବହାର କରାଯାଉଛି। ଲୋକଙ୍କ ଯାତାୟାତ ସୁବିଧାକୁ ଲକ୍ଷ୍ୟକରି ପୋଲ ମରାମତି ନିମନ୍ତେ ସ୍ବଳ୍ପ ଅର୍ଥ ଆଦାୟ କରାଯାଉଛି। ଚମ୍ପୁଆ ବ୍ଲକ୍‌ର ଚନ୍ଦ୍ରଶେଖରପୁର ସରପଞ୍ଚ ଜୟମଣି ନାଏକ, କରଞ୍ଜିଆ ସରପଞ୍ଚ ସୁପ୍ରିୟା ମୁଣ୍ଡାଙ୍କ କହିବା ଅନୁସାରେ, ଏଠାରେ ପୋଲ ନିର୍ମାଣ କଲେ ମୟୂରଭଞ୍ଜ ଅଞ୍ଚଳକୁ ଯାତାୟାତ ପାଇଁ ବହୁ ସୁବିଧା ହୁଅନ୍ତା। ପଞ୍ଚାୟତବାସୀ ଏହାର ସୁଫଳ ପାଇପାରିନ୍ତେ। ସରକାର ଏଥିପ୍ରତି ଦୃଷ୍ଟି ଦେଲେ ଲୋକେ ଉପକୃତ ହୁଅନ୍ତେ ବୋଲି କହିଛନ୍ତି।

Share