ନାଉଗାଁ ,୯ା୫(ସ୍ବ.ପ୍ର.): ନାଉଗାଁ ବ୍ଲକର ବାଉଁଶ ଯୋର ଚାଷୀଙ୍କ କାମରେ ଲାଗୁନି। ଏନେଇ ସେମାନଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ଯୋର ତିରୁଣା ପଞ୍ଚାୟତ ଓ ଡାବର ପଞ୍ଚାୟତ ଦେଇ ଦେବୀନଦୀକୁ ତେଲସରା ନିକଟରେ ସଂଯୋଗ କରୁଛି। ଏହା ଉପରେ ତିରୁଣା ପଞ୍ଚାୟତର ତିରୁଣା, ଉର, ଦହିପାଳ, ଅରିଓଦା, ନରଣପୁର, ତେଣ୍ଟୋଇ, ଡାବର ପଞ୍ଚାୟତର ଡାବର, ଦେଓପଡା, ଅଙ୍ଗାରୁଆ, ମହନାପାରି, ଜାମୁଗାଁ ପଞ୍ଚାୟତର ନନ୍ଦିଗ୍ରାମ, କୋରୁଅ ପଞ୍ଚାୟତର ବାଲି ମଝିପଡା, ଗାରୋଇ, କୋରୁଅ, ତେଲସରା ଆଦି ଅଞ୍ଚଳର ଚାଷୀମାନେ ନିର୍ଭରଶୀଳ। ବ୍ଲକରେ ପ୍ରବାହିତ ଗୋବରୀ ଓ ଦେବୀ ନଦୀରେ ବନ୍ୟା ଆସିଲେ ଏହି ଯୋର ଦେଇ ଜଳ ନିଷ୍କାସିତ ହୋଇଥାଏ। ମାତ୍ର ଦୀର୍ଘ ଦିନ ହେବ ସଫେଇ କରାଯାଉ ନ ଥିବାରୁ ବନ୍ୟା ଜଳ ନିଷ୍କାସିତ ହେବାରେ ବାଧା ଉପୁଜିଥିଲା। ଫଳରେ ବନ୍ୟା ସମୟରେ ଡାବର, ତିରୁଣା, ଜାମୁଗାଁ, କୋରୁଅ ପଞ୍ଚାୟତ ଜଳମଗ୍ନ ହୋଇଯାଉଥିଲା। ଏନେଇ ବାରମ୍ବାର ଅଭିଯୋଗ ପରେ ଜଳ ସେଚନ ବିଭାଗ ପକ୍ଷରୁ ସେଠାରେ ସଫେଇ କାର୍ଯ୍ୟ କରାଯାଇଛି। ସୂଚନା ଫଳକ ତଥ୍ୟ ଅନୁସାରେ, ଏହି ଯୋର ସଫେଇ ପାଇଁ ୯୮ ଲକ୍ଷ ୨୮ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି। ତଦାରଖ ଦାୟିତ୍ୱ ଜଗତ୍ସିଂହପୁର ଡ୍ରେନେଜ ବିଭାଗକୁ ଦିଆଯାଇଛି।
୨୦୨୧ ଏପ୍ରିଲ ୧୬ରେ ଏହି ସଫେଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୨୨ ମାର୍ଚ୍ଚ ୧୫ ସୁଦ୍ଧା କାର୍ଯ୍ୟ ଶେଷ ହେବାର ଥିଲା। ଇତିମଧ୍ୟରେ କାର୍ଯ୍ୟାଦେଶର ଅବଧି ସରିଥିଲେ ସୁଦ୍ଧା ଯୋର ସଫେଇ କାର୍ଯ୍ୟ ଶେଷ ହୋଇନି। ଅପରପକ୍ଷେ ସମ୍ପୃକ୍ତ ଠିକାଦାର ଯୋର ଭିତର ସଫା ନ କରି ଦୁଇ ପାର୍ଶ୍ୱରୁ ମେଶିନ ସାହାଯ୍ୟରେ ଘାସ ସଫା କରି ବିଲ କରିଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି। ଫଳରେ ଜଳ ନିଷ୍କାସନ ଓ ସଂରକ୍ଷଣରେ ବାଧା ସୃଷ୍ଟି ହେବ ବୋଲି ଚାଷୀମାନେ ଆଶଙ୍କାବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ନବନିର୍ମାଣ କୃଷକ ସଙ୍ଗଠନର ଜିଲା ସହ ସଂଯୋଜକ ଅଶୋକ ସ୍ବାଇଁ କହିଛନ୍ତି, ଏହି ଯୋର ମାଧ୍ୟମରେ ବର୍ଷା ଦିନେ ଉକ୍ତ ବ୍ଳକର ସମସ୍ତ ଉଦ୍ବୃତ୍ତ ଜଳ ନିଷ୍କାସିତ ହୋଇଥାଏ। ତେଣୁ ଜଳ ନିଷ୍କାସନ ପାଇଁ ଓ ମରୁଡି ସମୟରେ ଚାଷ ଜମିକୁ ଜଳ ଯୋଗାଇବାରେ ଉକ୍ତ ଯୋର ଗୁରୁତ୍ୱ ରହିଛି। ମାତ୍ର ଏହାର ସଫେଇ କାମ ନାମକୁ ମାତ୍ର କରାଯାଇଛି। ଏ ସମ୍ପର୍କରେ ଚାଷୀ ସୁବାସ ସ୍ବାଇଁ କହିଛନ୍ତି, ଯେଉ ଭଳି ଭାବେ ଯୋର ସଫେଇ କରାଯାଇଛି ତାହା ଚାଷୀଙ୍କ କାମରେ ଆସିବ ନାହିଁ। ଏ ପ୍ରସଙ୍ଗରେ ବିଭାଗର କନିଷ୍ଠଯନ୍ତ୍ରୀ ସରୋଜ ଦୀକ୍ଷିତଙ୍କୁ ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଉଠାଇ ନ ଥିଲେ।