Categories: ଫୁରସତ

ମଣିଷ ସଭ୍ୟତା ସହ ବାଉଁଶର ଯାତ୍ରା

ମଣିଷ ସଭ୍ୟତା ଆରମ୍ଭରୁ ବାଉଁଶର ଯାତ୍ରା ଆରମ୍ଭ ହୋଇଛି। ଯେବେଠୁଁ ମଣିଷ ସ୍ଥାୟୀ ଭାବେ ଘର କରି ରହିବା ଆରମ୍ଭ କଲା, ସେବେଠାରୁ ବାଉଁଶ ଆବଶ୍ୟକ ସାମଗ୍ରୀ ମଧ୍ୟରେ ସାମିଲ ହୋଇ ଯାଇଥିଲା। ଶିକାର କରିବାରେ ବାଉଁଶ ଧନୁତୀର ସହିତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ ହୋଇଥିଲା, ଯାହାକି ମନୁଷ୍ୟର ଖାଦ୍ୟ ଆବଶ୍ୟକତା ମେଣ୍ଟାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଭେଳା ତିଆରି କରି ନଦୀ ପାର କରିବାରେ ବାଉଁଶର ବ୍ୟବହାର ମଧ୍ୟ କରାଯାଉଥିଲା। ସେହିପରି ବାସସ୍ଥାନ ନିର୍ମାଣର ବହୁ କ୍ଷେତ୍ରରେ ବାଉଁଶକୁ ବ୍ୟବହାର କରିବା ଆରମ୍ଭ ହୋଇଥିଲା। ଏବେ ବି ଗାଁ ଗଣ୍ଡାରେ ନଡ଼ାଛପର ଘରେ ବାଉଁଶର ଉପଯୋଗ କରାଯାଉଛି। ବାଉଁଶ ବିନା ନଡ଼ାଛପର ଘର ତିଆରି କରିବା ସମ୍ଭବ ନୁହେଁ।

ସେହିପରି ବନ୍ୟାରେ ନଦୀବନ୍ଧରେ ଅତଡ଼ା ଖସିଲେ ବାଉଁଶ ବାଡ଼ରେ ବାଲିବସ୍ତା ପକାଇ ଏହାକୁ ରୋକାଯାଏ। ବାଉଁଶ ଖାଦ୍ୟ, ବାସଗୃହ, ସୁରକ୍ଷା ପ୍ରଦାନ କରିବା ସହିତ ଏକ ଅର୍ଥକରୀ ଗଛର ଭୂମିକା ଗ୍ରହଣରେ ଅତୁଳନୀୟ ସାବ୍ୟସ୍ତ ହୋଇପାରିଛି। ପ୍ରାଚୀନ କାଳରୁ ଆରମ୍ଭ କରି ଏପର୍ଯ୍ୟନ୍ତ ବାଉଁଶ ମଣିଷର ଅତି ଆପଣାର ହୋଇ ରହିଛି। ତେଣୁ ବାଉଁଶ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଓ୍ବାଲର୍ଡ ବାମ୍ବୋ ଅର୍ଗାନାଇଜେଶନ ଗଠନ କରାଯାଇଥିଲା। ଏହାର ସଂରକ୍ଷଣ ଲାଗି ୨୦୦୯ ବ୍ୟାଙ୍କକର ୮ମ ଓ୍ବାଲର୍ଡ ବାମ୍ବୋ ସମ୍ମିଳନୀରେ ସେପ୍ଟେମ୍ବର ୧୮କୁ ‘ବିଶ୍ୱ ବାଉଁଶ ଦିବସ’ ଭାବେ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସେବେଠାରୁ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି। ପରିବେଶ ବିଜ୍ଞାନୀଙ୍କ ମତାନୁସାରେ, ବାଉଁଶରୁ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତ କରାଗଲେ ପ୍ରଦୂଷଣ ମାତ୍ରା ହ୍ରାସ ପାଇପାରିବ। ଏହା ସହିତ ବାଉଁଶ ଦ୍ୱାରା ଭାରତ ଭଳି ଦେଶର ଆର୍ଥିକ ବିକାଶ ମଧ୍ୟ ସମ୍ଭବ ହୋଇପାରିବ।

ଦିବସ ପାଳନ ଅବସରରେ ବାଉଁଶ ଚାଷକୁ ପ୍ରୋତ୍ସାହିତ କରାଯିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ବାଉଁଶର ଆସବାବପତ୍ର, ଖାଦ୍ୟ, ଜୈବ ଇନ୍ଧନ, କପଡା ଆଦି ଅନେକ ବ୍ୟବହାର ରହିଛି। ତେଣୁ, ଆବଶ୍ୟକତା ବଜାୟ ରଖିବା ପାଇଁ ଏହାର ଚାଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରତିବର୍ଷ ବିଶ୍ୱ ବାଉଁଶ ଦିବସ ଏକ ନିର୍ଦ୍ଦିଷ୍ଟ ବାର୍ତ୍ତା ବହନ କରିଥାଏ। ଚଳିତ ୨୦୨୩ ବର୍ଷ ପାଇଁ ଏହି ଦିବସର ବାର୍ତ୍ତା ହେଉଛି ‘ପରିବେଶ ସଂରକ୍ଷଣ ପାଇଁ ଏକ ଆହ୍ବାନ ମୂଳକ ପଦକ୍ଷେପ(ଏ କଲ ଟୁ ଆକ୍ସନ ଫର ଏନଭାର୍ନମେଣ୍ଟାଲ ପ୍ରିଜରଭେଶନ) ।

Share