Categories: ଜାତୀୟ

ସରକାରୀ କର୍ମଚାରୀଙ୍କ ଛୁଟି ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

ଡେରାଡୁନ,୫।୭: ଉତ୍ତରାଖଣ୍ଡ ସରକାର ସରକାରୀ କର୍ମଚାରୀଙ୍କ ଛୁଟି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ମୌସୁମୀ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ କୌଣସି ବ୍ୟାଘାତ ନ ହେବା ପାଇଁ ଏହି ନିଷେଧାଦେଶ ଲାଗୁ କରାଯାଇଛି। ଏସମ୍ପର୍କରେ ରାଜ୍ୟର ମୁଖ୍ୟ ଶାସନ ସଚିବ ସୁଖବୀର ସିଂ ସନ୍ଧୁ ମଙ୍ଗଳବାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ, ମୌସୁମୀ ସମୟରେ ପ୍ରବଳ ବର୍ଷା, ବନ୍ୟା, ଭୂସ୍ଖଳନ, ବାଦଲ ଫଟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ କେତେକ ଜିଲା ଅଧିକ ପ୍ରଭାବିତ ହୋଇଥାଏ। ଏଥିସହ ଜନଜୀବନ ମଧ୍ୟ କ୍ଷତି ହୋଇଥାଏ। ତେଣୁ ସମସ୍ତ ବିଭାଗର ମୁଖ୍ୟ ତଥା ଜିଲାପାଳଙ୍କୁ ଦିଆଯାଇଥିବା ଏହି ଆଦେଶରେ କୁହାଯାଇଛି ଯେ, କିଛି ଅଧିକାରୀ ଏବଂ କର୍ମଚାରୀ ସେମାନଙ୍କ ଉଚ୍ଚ ପଦାଧିକାରୀଙ୍କଠାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଛୁଟି ନେଇଥାନ୍ତି। ଫଳରେ ବିପର୍ଯ୍ୟୟ ସମୟରେ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ। ମୌସୁମୀ ଅବଧି ତଥା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଅନାବଶ୍ୟକ ପରିସ୍ଥିତି ବ୍ୟତୀତ ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟି ମଞ୍ଜୁର କରାଯିବା ଉଚିତ ନୁହେଁ ଏବଂ ଯଦି ଛୁଟି ମଞ୍ଜୁର ହୁଏ, ତେବେ ସେହି ଅଧିକାରୀ କିମ୍ବା କର୍ମଚାରୀଙ୍କ ସ୍ଥାନରେ ଅନ୍ୟ କେହି ପୋଷ୍ଟ କରାଯିବା ନିଶ୍ଚିତ ହେବା ଉଚିତ ବୋଲି ସନ୍ଧୁ କହିଛନ୍ତି। ସୂଚନାଯୋଗ୍ୟ, ନିକଟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏକ ବୈଠକ କରି କହିଥିଲେ ଯେ, ବିପର୍ଯ୍ୟୟ ଦୃଷ୍ଟିରୁ ଆସନ୍ତା ୩ମାସ ରାଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମୟ ମଧ୍ୟରେ ଅଧିକାରୀ ଏବଂ କର୍ମଚାରୀଙ୍କୁ ଛୁଟି ଦିଆଯିବା ଉଚିତ ନୁହେଁ।

Share