Categories: ବାଣିଜ୍ୟ

ଅଣ ବାସ୍‌ମତି ଚାଉଳ ରପ୍ତାନି ଉପରୁ କଟକଣା ହଟିଲା

ଭୁବନେଶ୍ୱର,୨୯।୯(ଅନୁରାଧା ମହାରଣା): ଅଣ ବାସ୍‌ମତି ଚାଉଳ ରପ୍ତାନି ଉପରେ କେନ୍ଦ୍ର ସରକାର ଲଗାଇଥିବା କଟକଣା ଶନିବାର ହଟାଇଦିଆଯାଇଛି। ତେବେ ଟନ୍‌ ପିଛା ସର୍ବନିମ୍ନ ରପ୍ତାନି ମୂଲ୍ୟ (ଏମ୍‌ଇପି) ୪୯୦ ଡଲାର ଲାଗୁ କରାଯାଇଛି। ଘରୋଇ ଯୋଗାଣ ବଢ଼ାଇବା ପାଇଁ ୨୦୨୩ ଜୁଲାଇ ୨୦ରେ ଅଣ ବାସ୍‌ମତି ଚାଉଳ ରପ୍ତାନି ଉପରେ କଟକଣା ଲଗାଯାଇଥିଲା। ଅଣ-ବାସ୍‌ମତି ଧଳା ଚାଉଳ କ୍ଷେତ୍ରରେ ରପ୍ତାନି ନୀତିରେ ସଂଶୋଧନ କରାଯାଇଥିବା ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (ଡିଜିଏଫ୍‌ଟି) ଏକ ବିଜ୍ଞପ୍ତିରେ କହିଛି। ଏହାସହ ସରକାର ଉଷୁନା ଚାଉଳ ଉପରେ ରପ୍ତାନି ଶୁଳ୍କକୁ ୨୦% ରୁ ୧୦% କୁ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ଆସନ୍ତା ସପ୍ତାହରେ କୃଷକମାନେ ନୂତନ ଫସଲ ଅମଳ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ଏହି ନିଷ୍ପତ୍ତି ନିଆଯାଇଛି। ରପ୍ତାନି ଶୁଳ୍କ ହ୍ରାସ ଭାରତର ରପ୍ତାନି ମୂଲ୍ୟ ହ୍ରାସ କରିବା ସହ ପରିବହନ ପରିମାଣ ବୃଦ୍ଧି କରିବ ଏବଂ ଥାଇଲାଣ୍ଡ, ଭିଏଟ୍‌ନାମ, ପାକିସ୍ତାନ ଏବଂ ମ୍ୟାନ୍‌ମାର ଭଳି ପ୍ରତିନ୍ଦ୍ୱନ୍ଦ୍ୱୀ ଦେଶକୁ ମଧ୍ୟ ଏହାର ମୂଲ୍ୟ ହ୍ରାସ କରିବାକୁ ବାଧ୍ୟ କରିବ ବୋଲି ଆଶା କରାଯାଉଛି। ୨୦୨୩ ମସିହାରେ ଭାରତ ସାଧାରଣ ବୃଷ୍ଟିପାତ ହେତୁ ଫସଲ ନଷ୍ଟ ଯୋଗୁ ଉଷୁନା ଚାଉଳ ଉପରେ ୨୦% ରପ୍ତାନି ଶୁଳ୍କ ଲାଗୁ କରିଥିଲା। ବ୍ରାଉନ ରାଇସ୍‌ ଏବଂ ଧାନ ଉପରେ ରପ୍ତାନି ଶୁଳ୍କକୁ ୧୦% କୁ ହ୍ରାସ କରିବାକୁ ସରକାର ନିକଟରେ ଘୋଷଣା କରିଛନ୍ତି ଏବଂ ଏହା ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ।

Share