ଗୁଡ଼ିରେ ମାଞ୍ଜାସୂତା ବ୍ୟବହାର ନିଷେଧ ହେଉ

କଟକ ଅଫିସ,୪ା୧: ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଆସିଛି। ହେଲେ ଗୁଡ଼ି ଉଡ଼ାଇବାର ଅପରିଣାମଦର୍ଶୀ କାର୍ଯ୍ୟ ଯୋଗୁ ଜନସାଧାରଣ ବିପଦର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରମୁଖ କାରଣ ପାଲଟିଥିବା ଗୁଡ଼ିରେ ମାଞ୍ଜାସୂତା ବ୍ୟବହାରକୁ ନିଷେଧ କରାଯିବା ନେଇ କଟକ ମେରିଆବଜାର ବାସିନ୍ଦା ପୁଷ୍ପାଞ୍ଜଳି ମହାପାତ୍ର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ମଙ୍ଗଳବାର ଦାଏର କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ, ଗୁଡ଼ିରେ ମାଞ୍ଜାସୂତା ବ୍ୟବହାର ରୋକିବାକୁ ଯେତେ ଚେଷ୍ଟା କରାଯାଉଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରିନାହିଁ। ପ୍ରତିବର୍ଷ ଗୁଡ଼ିରେ ବ୍ୟବହୃତ ମାଞ୍ଜାସୂତା ବେକରେ ଲାଗି ବାଇକ ଓ ସାଇକେଲ ଆରୋହୀ ମୃତାହତ ହେଉଛନ୍ତି। ଏତେ ଅଘଟଣ ପରେ ମଧ୍ୟ ଲୋକେ ଚେତୁ ନାହାନ୍ତି। ଏନେଇ ସରକାର ଓ ପ୍ରଶାସନ କଟକଣା ଲଗାଇବା ଉଚିତ। ଏହି ପିଟିଶନରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ ସଚିବ, ଡିଜିପି, କଟକ ଡିସିପି, କଟକ ଜିଲାପାଳ, ସିଏମ୍‌ସି ଓ ବିଏମ୍‌ସି କମିଶନରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆଇନଜୀବୀ ପଦ୍ମାଳୟା ମହାପାତ୍ର ମାମଲା ପରିଚାଳନା କରୁଛନ୍ତି। ସୂଚନାଯୋଗ୍ୟ, ମାଞ୍ଜାସୂତା ବ୍ୟବହାର ରୋକିବା ଦିଗରେ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ଆଇନଜୀବୀ ପଦ୍ମାଳୟା ମହାପାତ୍ର ଓ ସାମାଜିକ କର୍ମୀ ପୁଷ୍ପାଞ୍ଜଳି ମହାପାତ୍ର ଚିଠି ଲେଖି କଟକ ଜିଲାପାଳ, ଡିସିପି, ସିଏମ୍‌ସି କମିଶନରଙ୍କୁ ପୂର୍ବରୁ ନିବେଦନ କରିଥିଲେ।

Share