ନୂଆଦିଲ୍ଲୀ,୧୮।୬: ଚଳିତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ବାଂଲାଦେଶ ଏକ ଅଲୋଡା ରେକର୍ଡର ସମକକ୍ଷ ହୋଇଛି। ଦଳର ୬ଜଣ ବ୍ୟାଟର ବିନା କୌଣସି ରନ୍ରେ ଆଉଟ ହୋଇଯାଇଥିଲେ। ଫଳରେ ଦଳର ପ୍ରଥମ ଇନିଂସ ୧୦୩ ରନ୍ରେ ସୀମିତ ହୋଇଯାଇଥିଲା। ଏକ ଟେଷ୍ଟ ଇନିଂସରେ ୬ଜଣ ବ୍ୟାଟର ବିନା କୌଣସି ରନରେ ଆଉଟ ହେବା ୭ଟି ଦୃଷ୍ଟାନ୍ତ ରହିଛି। ବାଂଲାଦେଶ କ୍ଷେତ୍ରରେ ଏହା ସର୍ବାଧିକ ୩ ଥର ଘଟିଛି। ତନ୍ମଧ୍ୟରେ ଗତ ମାସରେ ଶ୍ରୀଲଙ୍କା ବିପକ୍ଷ ପୂର୍ବ ଟେଷ୍ଟର ପ୍ରଥମ ଇନିଂସ ସାମିଲ। ବାଂଲାଦେଶ ଇନିଂସରେ ସର୍ବାଧିକ ରନ(୫୧) ସଂଗ୍ରହ ଅଧିନାୟକ ଶକିବ ଅଲ ହସନ କରିଛନ୍ତି। ତାମିମ ଇକବଲ ୨୯ ଓ ଲିଟନ ଦାସ ୧୨ ରନ କରିଥିବା ବେଳେ ଅନ୍ୟ କେହି ଦୁଇ ଅଙ୍କ ସ୍ପର୍ଶ କରିପାରି ନ ଥିଲେ। ବାଂଲାଦେଶ ଇନିଂସ ୩୨.୫ ଓଭରରେ ଶେଷ ହୋଇଯାଇଥିଲା।