ଡିସେମ୍ବର ୨୦ରେ ‘ବନବାସ’

ମୁମ୍ବାଇ: ‘ଗଦର: ଏକ୍‌ ପ୍ରେମ କଥା’, ‘ଅପ୍‌ନେ’, ‘ଗଦର ୨’ ଆଦି ହିଟ୍‌ ଚଳଚ୍ଚିତ୍ରଗୁଡ଼ିକର ନିର୍ଦ୍ଦେଶନା ଦେଇଥିବା ଅନିଲ ଶର୍ମା ସୋମବାର ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ସମ୍ପର୍କରେ ଘୋଷଣା କରିଛନ୍ତି। ଅନିଲ ଇନ୍‌ଷ୍ଟାଗ୍ରାମରେ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ‘ବନବାସ’ର ପ୍ରଥମ ପୋଷ୍ଟରକୁ ରିଲିଜ୍‌ କରିଛନ୍ତି। ସେହିପରି ଏହି ଚଳଚ୍ଚିତ୍ରଟି ଆସନ୍ତା ଡିସେମ୍ବର ୨୦ରେ ମୁକ୍ତିଲାଭ କରିବ ବୋଲି ଅନିଲ ଏହି ପୋଷ୍ଟରରେ ଦର୍ଶାଇଛନ୍ତି। ତେବେ ଏହି ପୋଷ୍ଟରରେ ବଲିଉଡ୍‌ର ଭେଟେରାନ ଅଭିନେତା ନାନା ପାଟେକର ଓ ଅଭିନେତା ଉତ୍କର୍ଷ ଶର୍ମାଙ୍କୁ ଦେଖିବାକୁ ମିଳିଛି। ଏଥିରେ ନାନାଙ୍କୁ ଏକ ଭିନ୍ନ ଶୈଳୀରେ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରର ନାମ ‘ବନବାସ’ ହୋଇଥିବା ସତ୍ତ୍ୱେ ପୋଷ୍ଟରରେ ନାନା ମଜାଦାର ଅନ୍ଦାଜରେ ଉତ୍କର୍ଷଙ୍କ ସହ ଠିଆ ହୋଇଥିବାର ନଜରକୁ ଆସିଛନ୍ତି। ପୋଷ୍ଟରରେ ଉତ୍କର୍ଷ ହାତରେ ଏକ ମଦ ବୋତଲ ଧରିଥିବାବେଳେ ନାନା ଗୋଟିଏ ହାତରେ ବ୍ୟାଗ୍‌ ଓ ଅନ୍ୟ ହାତରେ ଏକ ପାତ୍ର ଧରିଥିବା ଦେଖିବାକୁ ମିଳିଛି। ଏହାସହ ଏହି ପୋଷ୍ଟରରେ ଲେଖା ହୋଇଛି, ଅପ୍‌ନେ ହି ଦେତେ ହେଁ ଅପ୍‌ନେ କୋ ବନବାସ।
ଫିଲ୍ମ ମାଧ୍ୟମରେ ନିର୍ଦ୍ଦେଶକ ଅନିଲ ପୁଣିଥରେ ତାଙ୍କ ପୁଅ ଉତ୍କର୍ଷଙ୍କୁ ବଲିଉଡ୍‌ରେ ନିଜର ଦକ୍ଷତା ପ୍ରମାଣିତ କରିବାର ସୁଯୋଗ ଦେଇଛନ୍ତି। ତେବେ ‘ବନବାସ’ ଫିଲ୍ମରେ ‘ଗଦର ୨’ରେ ମୁସ୍କାନ ଚରିତ୍ର କରି ପ୍ରସିଦ୍ଧି ଲାଭ କରିଥିବା ଅଭିନେତ୍ରୀ ସିମରତ କୌରଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଅନିଲଙ୍କ ପୋଷ୍ଟରେ ସିମରତ କମେଣ୍ଟ କରି ଲେଖିଛନ୍ତି, ‘ଆପଣଙ୍କ ସ୍ନେହର ମୁସ୍କାନ ଆସୁଛି ଏଥର ଏକ ଭିନ୍ନ ଶୈଳୀରେ। ଡିସେମ୍ବର ୨୦ରେ ଆପଣଙ୍କ ସହ ଦେଖା ହେବ।’ ଏହି ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ହାସ୍ୟ ଅଭିନେତା ରାଜପାଲ ଯାଦବ ଏବଂ ଅଭିନେତ୍ରୀ ଖୁସ୍‌ବୁ ସୁନ୍ଦର ମଧ୍ୟ ନଜରକୁ ଆସିବେ।

Share