ପୁରୀ ଅଫିସ,୨୯।୧୦: ପ୍ରାୟ ୨ ମାସ ପରେ ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ହୋଇଛି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଏହି ନୀତି କରାଯାଇଥିଲା। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ଦାରୁଦିଅଁଙ୍କ ଶ୍ରୀମୁଖ ଶୃଙ୍ଗାର କରିଥିଲେ। ପ୍ରାକୃତିକ ପ୍ରଣାଳୀରେ ତିଆରି ପ୍ରସାଧାନରେ ଠାକୁରଙ୍କ ଶ୍ରୀମୁଖ ଶୃଙ୍ଗାରକୁ ବନକଲାଗି କୁହାଯାଏ। ଏଥିପାଇଁ ଦତ୍ତମହାପାତ୍ର ସେବକମାନେ ଶୁଦ୍ଧପୁତ ଭାବେ ପ୍ରସାଧାନ ପ୍ରସ୍ତୁତ କରିଥିଲେ। ହିଙ୍ଗୁଳ, ହରିତାଳ, କଳା ଆଦିକୁ ବ୍ୟବହାର କରାଯାଇ ଏହା ପ୍ରସ୍ତୁତ କରାଯାଇଥିଲା। ଏହି ପ୍ରାକୃତିକ ରଙ୍ଗରେ କସ୍ତୁରୀ ଓ କେଶର ମଧ୍ୟ ମିଶିଥାଏ। କସ୍ତୁରୀ ଯୋଗୁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜ୍ୱଳ ଓ ମସୃଣ ରୁହେ। ରନତ୍ସିଂହାସନ ସମ୍ମୁଖରେ ଯେଉଁ ଭୋଗ ବଢାହୁଏ ତାର ଗରମ ବାଷ୍ପ ଯୋଗୁ ମୁଖମଣ୍ଡଳର ଉଜ୍ଜ୍ୱଳତା କମିଯାଏ। କସ୍ତୁରୀ ବ୍ୟବହାର ଯୋଗୁ ରଙ୍ଗ ଦୀର୍ଘସ୍ଥାୟୀ ହୋଇଥାଏ।