କଦଳୀ ପାଟୁଙ୍ଗାରୁ ସାନିଟାରି ପ୍ୟାଡ୍‌

ଭୁବନେଶ୍ୱର, ୨୧।୩(ଅସମାପିକା ସାହୁ)କଦଳୀ ଗଛର ତନ୍ତୁ ବା କଦଳୀ ପାଟୁଙ୍ଗାରୁ ସାନିଟାରି ପ୍ୟାଡ୍‌ ତିଆରି ହେଉଛି। ତା’ ପୁଣି ରିୟୁଜେବ୍‌ଲ। ଅର୍ଥାତ୍‌ ଏକାଧିକ ଥର ବ୍ୟବହାର କରି ହେବ। ଅତିକମ୍‌ରେ ୩ରୁ ୪ ବର୍ଷ ଯାଏ ଏହି ପ୍ୟାଡ୍‌ ବ୍ୟବହାର କରିହେବ। ‘ସୌଖ୍ୟମ୍‌ ରି-ୟୁଜେବଲ ପ୍ୟାଡ୍‌ସ’ ଅଭିଯାନରେ ମାତା ଅମୃତାନନ୍ଦମୟୀ ମଠ ପକ୍ଷରୁ ଏହି ପ୍ୟାଡ୍‌ ତିଆରି କରାଯାଉଛି। ଏହି ପ୍ୟାଡର ବଡ଼ ବିଶେଷତ୍ୱ ହେଉଛି, ଏହା ପରିବେଶ ଅନୁକୂଳ ଓ ସ୍ବାସ୍ଥ୍ୟ ଉପଯୋଗୀ। ଅନ୍ୟ ସାଧାରଣ ଡିସ୍‌ପୋଜେବଲ ପ୍ୟାଡ୍‌ରେ ବ୍ୟବହାର ହେଉଥିବା ସେଲ୍ୟୁଲାର ଫାଇବର ପାଇଁ ପ୍ରତିବର୍ଷ ହଜାର ହଜାର ଗଛ ବଳି ପଡ଼ୁଛି। ଏମିତିକି ସେଥିରେ କେମିକାଲ ବ୍ୟବହାର ହୁଏ, ଯାହା ଶରୀର ଉପରେ କୁପ୍ରଭାବ ପକାଇଥାଏ। ସାଧାରଣତଃ ପ୍ୟାଡ୍‌ ମାଟିରେ ମିଶିବାକୁ ଶହ ଶହ ବର୍ଷ ନେଇଥାଏ। କିନ୍ତୁ ସୌଖ୍ୟମ ପ୍ୟାଡ୍‌ସ କଦଳୀ ଗଛର ପାଟୁଙ୍ଗା ତନ୍ତୁରୁ ପ୍ରସ୍ତୁତ କରାଯାଉଥିବାରୁ ଏହା ଶରୀର ପ୍ରତି ଖରାପ ନୁହେଁ କି ଏହା ଯୋଗୁ ପରିବେଶ ନଷ୍ଟ ହେବାର ଆଶଙ୍କା ବି ନାହିଁ ବୋଲି ପ୍ୟାଡ୍‌ ଓମ୍ୟାନ ଭାବେ ପରିଚିତ ତଥା ‘ସୌଖ୍ୟମ୍‌ ରିୟୁଜେବଲ ପ୍ୟାଡ୍‌ସ’ର ପରିଚାଳନା ନିର୍ଦ୍ଦେଶିକା ଅଞ୍ଜୁ ବିଷ୍ଟ କହିଛନ୍ତି। ବୁଧବାର ସ୍ଥାନୀୟ ଏକ ହୋଟେଲରେ ‘ସୌଖ୍ୟମ୍‌’ ପକ୍ଷରୁ ଆୟୋଜିତ କର୍ମଶାଳାରେ ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
କହିଛନ୍ତି, ସାଧାରଣତଃ ଡିସ୍‌ପୋଜେବଲ ପ୍ୟାଡ୍‌ କିଣିବାକୁ ଜଣେ ମହିଳା ମାସକୁ ୪୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିଥାନ୍ତି। ଅର୍ଥାତ୍‌ ସାନିଟାରି ପ୍ୟାଡ ପାଇଁ ଜୀବନକାଳ ଭିତରେ ଜଣେ ମହିଳାଙ୍କୁ ପାଖାପାଖି ୪୦-୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ। ମାତ୍ର ୩୫୦ ଟଙ୍କାରେ ଉପଲବ୍ଧ କଦଳୀ ପାଟୁଙ୍ଗାରେ ତିଆରି ହେଉଥିବା ସୌଖ୍ୟମ୍‌ ରିୟୁଜେବଲ ସାନିଟାରି ପ୍ୟାଡ ସେଟ୍‌କୁ ଜଣେ ୩ରୁ ୪ ବର୍ଷ ବ୍ୟବହାର କରିପାରିବ। ଏବେ ଓଡ଼ିଶାରେ ବି କଦଳୀ ପାଟୁଙ୍ଗାରୁ ପ୍ୟାଡ୍‌ ତିଆରି କରିବା ପାଇଁ ସୌଖ୍ୟମ୍‌ ନିଷ୍ପତ୍ତି ନେଇଥିବା ଅଞ୍ଜୁ ବିଷ୍ଟ କହିଛନ୍ତି।
ମଧ୍ୟରେ ସଚେତନତା ସୃଷ୍ଟି ସହ ସ୍ଥାୟୀ ଋତୁସ୍ରାବ ସ୍ବଚ୍ଛତା ଅଭ୍ୟାସ ଜାଗୃତ କରିବା ପାଇଁ ‘ସୌଖମ୍‌’ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ଏନ୍‌ଏସ୍‌ଏସ୍‌ ସହଭାଗିତାରେ କଟକ ଓ ଭୁବନେଶ୍ୱରର ବିଭିନ୍ନ କଲେଜରେ ସଚେତନତା ସଭା ଆୟୋଜନ କରିଥିଲା। ଏହିସବୁ କର୍ମଶାଳାରୁ ବହୁତ ଭଲ ପ୍ରତିକ୍ରିୟା ମିଳିଥିଲା। ଏ ବର୍ଷ ଆହୁରି ଅଧିକ କଲେଜରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବୁ ବୋଲି ଏନ୍‌ଏସ୍‌ଏସ୍‌ର ରାଜ୍ୟ କୋଅର୍ଡିନେଟର ରମେଶ ଚନ୍ଦ୍ର ବେହେରା କହିଛନ୍ତି। ଏହି କର୍ମଶାଳାରେ ଓଡ଼ିଶା ମେନ୍‌ଷ୍ଟ୍ରୁଆଲ୍‌ ହେଲ୍‌ଥ ଆଣ୍ଡ୍‌ ହାଇଜିନ୍‌ ଆଲିଆନ୍ସ ତରଫରୁ ସ୍ନେହା ମିଶ୍ର, ଜାତୀୟ କ୍ରୀଡ଼ାବିତ୍‌ ଶୁଭସ୍ମିତା ରଥ ପ୍ରମୁଖ ଉପସ୍ଥିତ ଥିଲେ।

Share