ମଣିଷ ଛୁଆ ପରି ଛେଳି ଛୁଆଙ୍କ ଜନ୍ମଦିନରେ କଟାଗଲା କେକ୍। ଡିଜେର ତାଳେତାଳେ ନାଚିଲେ, ସୁସ୍ବାଦୁ ଭୋଜିରେ ଆପ୍ୟାୟିତ ହେଲେ ବନ୍ଧୁ ପରିଜନ। ଉତ୍ତରପ୍ରଦେଶର ବାନ୍ଦା ଜିଲାରେ ଏଭଳି ଏକ ଅଜବଗଜବ ଘଟଣା ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏହି ଜନ୍ମଦିନ ପାଳନର ଫଟୋ ଭାଇରାଲ ହେଉଛି।
କଥାଟି ଏପରି। ବାନ୍ଦା ଜିଲାର କୋଟଓ୍ବାଲି ଅଞ୍ଚଳର କାଶିରାମ କଲୋନୀରେ ରହୁଥିବା ରାଜା ଏବଂ ତାଙ୍କ ସ୍ତ୍ରୀଙ୍କର କୌଣସି ସନ୍ତାନ ନାହାନ୍ତି। ବିବାହର ଅନେକ ବର୍ଷ ବିତିଥିଲେ ହେଁ ତାଙ୍କ ଘରେ ପିଲାର କାମନା ପୂର୍ଣ୍ଣ ହୋଇପାରିନାହିଁ। ଗତ ବର୍ଷ ତାଙ୍କର ଏକ ଛେଳି ପ୍ରଥମ ଥର ପାଇଁ ଦୁଇଟି ଛୁଆ ଜନ୍ମ କରିଥିଲା। ଉଭୟଙ୍କ ନାମ ଲକ୍ଷ୍ମୀ ଏବଂ କୁବେର ସେ ରଖିଥିଲେ। ନିଜ ସନ୍ତାନ ଭଳି ତାଙ୍କର ଜନ୍ମୋତ୍ସବ ମଧ୍ୟ ପାଳନ କରିଥିଲେ। ଛେଳି ଛୁଆ ଏବେ ବର୍ଷକର ହେବା ପରେ ସେ ବେଶ ଧୁମ୍ଧାମରେ ତାଙ୍କ ଜନ୍ମଦିନ ପୁଣି ପାଳନ କରିଛନ୍ତି।
ଏହି ଉତ୍ସବରେ ବନ୍ଧୁ ପରିଜନଙ୍କ ସମେତ ପଡୋଶୀ ସମ୍ମିଳୀତ ହୋଇଥିଲେ। ସେମାନେ ସମସ୍ତେ ମିଶି କେକ୍ କାଟିଥିଲେ। ଡିଜେର ତାଳେ ତାଳେ ବହୁତ ନାଚିଥିଲେ। ଏହାପରେ ଭୋଜି ଖାଇବା ପରେ ଛେଳିଛୁଆଙ୍କ ପାଇଁ ଆଣିଥିବା ଉପହାର ଦେଇଥିଲେ। ଏହାର ଫଟୋ ଏବେ ଭାଇରାଲ ହେଉଛି। ଉଭୟ ଛେଳିଛୁଆଙ୍କୁ ନିସନ୍ତାନ ଦମ୍ପତି ନିଜ ପିଲା ପରି ପାଳୁଥିବା ଲୋକେ କହୁଛନ୍ତି।