ଆଜିଠୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍‌

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ପୁରୀ-ହାଓଡା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଗୁରୁବାର ଠାରୁ ଗଡ଼ିବା ଆରମ୍ଭ ହେବ। ଭର୍ଚୁଆଲ ମୋଡ୍‌ରେ ଏହି ହାଇସ୍ପିଡ୍‌ ଟ୍ରେନ୍‌ର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ଥାନୀୟ ବିଧାୟକ ପ୍ରମୁଖ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ବନ୍ଦେ ଭାରତ ଏକ୍ସପ୍ରେସ୍‌ ଗୁରୁବାରକୁ ଛାଡ଼ି ସପ୍ତାହର ବାକି ସବୁଦିନ ଚାଲିବ। ପୁରୀରୁ ଏହି ଟ୍ରେନ୍‌ ଦିନ ୧ଟା ୫୦ମିନିଟ୍‌ରେ ଛାଡ଼ିବ ଓ ସା ସାଢେ ୮ଟାରେ ହାଓଡାରେ ପହଞ୍ଚିବ। ସେହିପରି ହାଓଡାରୁ ସକାଳ ୬ଟା ୧୦ରେ ବାହାରି ଦିନ ୧୨ଟା ୩୫ରେ ପୁରୀରେ ପହଞ୍ଚିବ। ସେହିପରି ପୁରୀ ଏବଂ କଟକ ଷ୍ଟେଶନର ନବୀକରଣ ଲାଗି ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହା ପୂର୍ବରୁ ଉଭୟ ରେଳଷ୍ଟେଶନର ପ୍ରସ୍ତାବିତ ଡିଜାଇନ ଆସିଛି। ଏହାସହ ଆଉ କିଛି ରେଳ ପ୍ରକଳ୍ପର ମଧ୍ୟ ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି। ତେବେ ଏହି କାର୍ଯ୍ୟକ୍ରମ ଲାଗି ପୁରୀ ଏବଂ କଟକ ରେଳଷ୍ଟେଶନରେ ବିଭିନ୍ନ ସ୍ଥାନର ରଙ୍ଗ କରାଯିବା ସହିତ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ ମଧ୍ୟ କରାଯାଇଛି। ଏହି ପ୍ରସଙ୍ଗରେ ଜିଆର୍‌ପି ଏସ୍‌ପି ଇନ୍‌ଚାର୍ଜ ସୁରେନ୍ଦ୍ର ନାଥ ଶତପଥୀ କହିଛନ୍ତି, ବନ୍ଦେ ଭାରତ ଟ୍ରେନ୍‌ ଲାଗି ଜିଆର୍‌ପି ତରଫରୁ ବିଭିନ୍ନ ପୋଲିସ ଆରେଞ୍ଜମେଣ୍ଟ କରାଯାଇଛି। ପ୍ରତି ଟ୍ରେନ୍‌ରେ ପ୍ରତି ପ୍ରବେଶ ଏବଂ ପ୍ରସ୍ଥାନ ସ୍ଥଳରେ ଜିଆର୍‌ପି ପୋଲିସ ରହିବେ। ସେହିପରି ଜନସାଧାରଣଙ୍କର ଅସୁବିଧା ଯେପରି ନ ହେବ ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହାର ଉଦ୍‌ଘାଟନ ଏବଂ ଫ୍ଲାଗିଂ ଅଫ ଯେପରି ଜନସାଧାରଣ ଦେଖିପାରିବେ ସେହି ହିସାବରେ ମଧ୍ୟ ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି।

Share